ମାଲକାନଗିରି ବନ୍ୟା: ୨,୨୫୯ ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର

10

ସେପ୍ଟେମ୍ବର ୨୬ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରି,(ସୁରେନ୍ଦ୍ର କୁମାର ବେମାଳ )୨୫/୯/୨୬: ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବା ସହ ସମସ୍ତ ପ୍ରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ମାଥିଲି, କାଲିମେଳା, ପଡ଼ିଆ ଓ ଖଇରପୁଟ ବ୍ଲକର ପ୍ରାୟ ୨୮ଟି ଜିପି ଏବଂ ୩୭ଟି ଗ୍ରାମ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ବିପନ୍ନ ୨,୨୫୯ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୧ଟି ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ପ୍ରଶାସନ ତରଫରୁ ୩ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ରିଲିଫ ସ୍ୱରୂପ ପଲିଥିନ ରୋଲ୍ ସହ ଏମପିଭି-୦୬ ଠାରେ ୨୦ ୟୁନିଟ୍ ଶୁଖିଲା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଛି।
ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା, ବଜ୍ରପାତ ଓ ବିପର୍ଯ୍ୟୟ ସମୟରେ ପ୍ରତିଟି ଜୀବନର ସୁରକ୍ଷା ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖୋଦ୍ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷ କରି ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୬ ସେପ୍ଟେମ୍ବର ୨୦୨୬ (ଶନିବାର) ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ (ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଓ ଡିଗ୍ରୀ କଲେଜ) ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି। ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ ଏବଂ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ନିଜ କାର୍ଯ୍ୟରେ ଯୋଗଦେବେ, ଯେପରି ବନ୍ୟା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କ ସେବା ବ୍ୟବହାର କରାଯାଇପାରିବ। ବିଭିନ୍ନ ବୋର୍ଡ, କାଉନସିଲ କିମ୍ବା ବିଶ୍ୱବିଦ୍ୟାଳୟ ଦ୍ୱାରା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସ୍ତ ପରୀକ୍ଷା ଗୁଡ଼ିକ ଯଥାରୀତି ଅନୁଷ୍ଠିତ ହେବ।
ସାଧାରଣ ଜନତାଙ୍କ ନିରାପଦ ଯାତାୟାତ ପାଇଁ ଶିଖପାଲି ଛକ ନିକଟରେ ବିକଳ୍ପ ପଡ଼ିଆ ରାସ୍ତା ଦେଇ ଗାଡ଼ି ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହା ସହିତ ପୋଟେରୁ ଓ ପାଙ୍ଗାମ ବ୍ରିଜ୍‌ର ବର୍ତ୍ତମାନର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ସମଗ୍ର ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ବାହିନୀ ଜନସାଧାରଣଙ୍କ ସୁରକ୍ଷା ଓ ସେବା ପାଇଁ ଦିନରାତି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇ ସରକାରଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ୨୦ଟି ସ୍ୱତନ୍ତ୍ର ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ହାଲଦିକୁଣ୍ଡ, ବାଲିଗୁଡା, କାନ୍ଦହାଗୁଡା ଓ ବାରିବେଞ୍ଚା ସମେତ ୭ଟି ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ସଙ୍କଟ ସମୟରେ ଜନସାଧାରଣଙ୍କୁ ଆଦୌ ଭୟଭୀତ ନହୋଇ ସତର୍କ ରହିବାକୁ ଏବଂ ନିଜ ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.