ସମ୍ଭାବ୍ୟ ଗଭୀର ଅବପାତ ଓ ବନ୍ୟା ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସଜାଗ: ବାତ୍ୟା ଆଶ୍ରୟସ୍ଥଳୀ ଓ କଳିଙ୍ଗା ଘାଟି ପରିଦର୍ଶନ କଲେ ଉପଜିଲ୍ଲାପାଳ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା, ପବନ, ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଆଜି ବେଲଗୁଣ୍ଠ। ବ୍ଲକ୍ ଅନ୍ତର୍ଗତ ମନ୍ଦାର, ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ତୁରୁମ୍ ବହୁମୁଖୀ ବାତ୍ୟା ଆଶ୍ରୟ କେନ୍ଦ୍ର ଏବଂ କଳିଙ୍ଗା ଘାଟି ଅଞ୍ଚଳ ପରିଦର୍ଶନ କରି ବିପର୍ଯ୍ୟୟ ମୁକାବିଲା ପାଇଁ ରହିଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଆଶ୍ରୟସ୍ଥଳୀ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଔଷଧ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସମୟରେ ଅସୁରକ୍ଷିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସଜାଗ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ସମୟରେ ନଦୀ, ନାଳ ଓ ଜଳାଶୟ ନିକଟକୁ ନଯିବା, ବଜ୍ରପାତ ସମୟରେ ଘର ଭିତରେ ରହିବା ଏବଂ ଗଛତଳେ କିମ୍ବା ଖୋଲା ପଡ଼ିଆରେ ଆଶ୍ରୟ ନନେବା କୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି ଉପଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାର ଙ୍କ ସମେତ ଉପଖଣ୍ଡ ପ୍ରଶାସନ, ତହସିଲ, ବ୍ଲକ୍ ପ୍ରଶାସନ ଓ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ୍ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏକ ଆପତ୍କାଳୀନ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅସୁରକ୍ଷିତ ଅଞ୍ଚଳର ଲୋକଙ୍କ ସମେତ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକତା ଅନୁଯାୟୀ ପୂର୍ବରୁ ସୁରକ୍ଷିତ ଆଶ୍ରୟସ୍ଥଳୀ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହ ଅଗ୍ନିଶମ ସେବା, ଜେସିବି, ସ୍ୱାସ୍ଥ୍ୟ ଟିମ୍ ଆଦି ସତର୍କ ରହିବା ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜଗନ୍ନାଥପ୍ରସାଦ ତହସିଲଦାର, ବିଡିଓ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଭଞ୍ଜନଗର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଯେକୌଣସି ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଇଛି। ଜନସାଧାରଣ ପ୍ରଶାସନ ଓ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଉଥିବା ପାଣିପାଗ ଓ ସତର୍କତା ସୂଚନାକୁ ଅନୁସରଣ କରି ସୁରକ୍ଷିତ ରହିବାକୁ ଅନୁରୋଧ କରାଯାଇଛି।