ରାଜ୍ୟସ୍ତରୀୟ ତାଏକୋଣ୍ଡ ଚାମ୍ପିୟନଶିପ୍ ପାଇଁ ଖେଳାଳି ଚୟନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୧୪–୧୭ ବର୍ଷ ବୟସ ବର୍ଗର ବାଳକ ଓ ବାଳିକାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ତାଏକୋଣ୍ଡ ଓ ମୁଷ୍ଟିଯୁଦ୍ଧ ଚୟନ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ୍. ଗିରିଧର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥ , ପାରଳା ମହାରାଜା ଓ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ତାଏକୋଣ୍ଡ ଓ ମୁଷ୍ଟିଯୁଦ୍ଧର ଚୟନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ପରିଶ୍ରମ , ଶୃଙ୍ଖଳା ଓ ଅଧ୍ୟବସାୟ ମାଧ୍ୟମରେ ରାଜ୍ୟ ତଥା ଜାତୀୟସ୍ତରରେ ସଫଳତା ହାସଲ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ୍. ଗିରିଧର ଶିକ୍ଷା କ୍ଷେତ୍ର ଭଳି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଗଜପତି ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ମୁଷ୍ଟିଯୁଦ୍ଧ କୋଚ୍ ଶ୍ରୀ ରାମକୃଷ୍ଣ ବେଣିଆ ଓ ତାଏକୋଣ୍ଡ କୋଚ୍ ଶ୍ରୀ କାର୍ତ୍ତିକ କୁମାର ମହାପାତ୍ର ମଞ୍ଚାସୀନ ଥିଲେ। ଜାତୀୟସ୍ତରରେ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବା ଶ୍ରୀ ଜଗନ ବେଣିଆ ଓ ବର୍ଷିତା ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍ମାନଙ୍କ ଚୟନ ନିମନ୍ତେ ତାଏକୋଣ୍ଡ ଓ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବହୁ ସଂଖ୍ୟକ କ୍ରୀଡ଼ାବିତ୍ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।
ଚୟନ ହୋଇଥିବା ତାଏକୋଣ୍ଡ କ୍ରୀଡ଼ାବିତ୍ମାନେ ୨୧.୦୯.୨୦୨୬ ରୁ ୨୬.୦୯.୨୦୨୬ ପର୍ଯ୍ୟନ୍ତ କେନ୍ଦୁଝରସ୍ଥିତ ଏନ .ଏସ୍. ସରକାରୀ ପୋଲିସ ହାଇସ୍କୁଲ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ତାଏକୋଣ୍ଡ ଚାମ୍ପିୟନଶିପ୍ ୨୦୨୬–୨୭ରେ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏଥିରେ ବହୁ ସଂଖ୍ୟକ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀ , ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ , କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।