ଭାଗବତ ଆମ ଜୀବନ ଧାରା

43


🔹🔹🔹🔹🔹🔹🔹


ମାତା ପଦ୍ମାବତୀ ପିତା ଭଗବାନ
ନିଃସନ୍ତାନ ହୋଇଥିଲେ
ଶ୍ରୀଜଗନ୍ନାଥଙ୍କୁ ବଂଶରକ୍ଷା ପାଇଁ
ସୁତଟିଏ ମାଗିଥିଲେ ।।

ପୌରାଣିକ ପଣ୍ଡା ଦମ୍ପତ୍ତିଙ୍କ ଡାକ
ଶୁଣିଲେ ଜଗତ ନାଥ
ରାଧାଷ୍ଟମୀ ଦିନ ପୁଣ୍ୟ ତିଥିରେ
ଜନମିଲେ ତାଙ୍କ ସୁତ ।।

ଜଗନ୍ନାଥ କିବା ଇଚ୍ଛିଲେ ଉତ୍କଳେ
ଆବିର୍ଭୂତ ହେବା ପାଇଁ
ଆମ ଭାଷା ନୀତି ସଂସ୍କୃତିର ଦେଲେ
ପରିଚୟ ବିଶ୍ଵେ ଥୋଇ ।।

ସଂସ୍କୃତ ଭାଷାର ଭାଗବତକୁ ସେ
କରିଲେ ଅନୁସୃଜନ
ଜଗନ୍ନାଥ ଯାହା ସ୍ବପ୍ନରେ କହିଲେ
କଲେ ସେ ତାହା ଲିଖନ ।।

ଭାଗବତ ଗ୍ରନ୍ଥ ଭାଗବତ ବାଣୀ
ଅଟେ ଭାଗବତ ଲୀଳା
ଯାହାର ପଠନ ଶ୍ରବଣ ଚିନ୍ତନ
ଭବ ସାଗରକୁ ଭେଳା ।।

ଓଡ଼ିଆ ଲେଖାକୁ ସଂସ୍କୃତ ବିଦ୍ୱାନ
କଲେ ଯେବେ ପ୍ରତ୍ୟାଖ୍ୟାନ
ସ୍ବୟଂ ଜଗନ୍ନାଥ ସର୍ବ ଶାସ୍ତ୍ର ଠାରୁ
ଦେଲେ ତାକୁ‌ ଶୀର୍ଷ ସ୍ଥାନ ।।

ତେଣୁ ଭାଗବତ ପ୍ରତି ଓଡ଼ିଆର
ଅଟଇ ପ୍ରାଣ ସ୍ପନ୍ଦନ
ଭାଗବତ ଗ୍ରନ୍ଥ ନାହିଁ ଯାହା ଗୃହେ
ଗୃହ ନୁହେଁ ସେ ଅରଣ୍ୟ ।।

ପ୍ରଭୁଙ୍କ ଚରିତ୍ର ଭାଗବତ ଗ୍ରନ୍ଥ
ଅଭ୍ୟାସ କରେ ଯେ ନିତ୍ୟ
ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ
ଫଳ ସେ ହୁଅଇ ପ୍ରାପ୍ତ ।।

ଭାଗବତ ସୂକ୍ତି ମାନବ ଜୀବନ
ପଥ ପ୍ରଦର୍ଶନକାରୀ
ସଦଗୁରୁ ବାକ୍ୟ ଅଟେ ପ୍ରତି ପଦ
ବ୍ୟକ୍ତି ନିର୍ମାଣ ଚାତୁରୀ ।।

ଅଠର ପୁରାଣ ପଠନର ଫଳ
ଅଛି ଏକା ଭାଗବତେ
ତେଣୁ ସାଧୁ ଜନକ କର ପାରାୟଣ
ଭାଗବତ ପ୍ରତି ନିତ୍ୟେ ।।

ମନ୍ଦିର ନିର୍ମାଣ ତଡ଼ାଗ ଖନନ
ଲକ୍ଷ ଗୋଦାନର ଫଳ
ଏକା ଭାଗବତ ଗ୍ରନ୍ଥ ପ୍ରଦାନରେ
ମିଳେ ସେତେ ପୁଣ୍ୟ ଫଳ ।।

ଆସ ଅତୀତକୁ ପୁଣି ଫେରିଯିବା
ଭାଗବତ ଟୁଙ୍ଗି ଘରେ
କରୁଥିବା ନିତ୍ୟ ଭାଗବତ ଚର୍ଚ୍ଚା
ଶୁଦ୍ଧ ପୂତ ମାନସରେ ।।

ଜଗନ୍ନାଥ ଦାସ ଜୟନ୍ତୀ ଦିବସେ
ଘେନିବା ଆମେ ଶପଥ
ଭାଗବତ ବାଣୀ ଆଧାରେ ଜୀବନ
କରୁଥିବା ସୁମାର୍ଜିତ ।।


🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି

Leave A Reply

Your email address will not be published.