ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ବରଗଡ଼ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକମାଳ ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ମାନସିକ ଚାପ ପରିଚାଳନା ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଶ୍ରୀ ଯଶୋବନ୍ତ ରଣବୀର, କମ୍ୟୁନିଟି ସୁପରଭାଇଜର ଶ୍ରୀ ବାବୁନ କୁମାର ସାହୁ ଏବଂ CRA ଶ୍ରୀ ରବୀନ୍ଦ୍ର ମେହେର ଉପସ୍ଥିତ ଥିଲେ।
ଅଧିବେଶନରେ ମାନସିକ ଚାପ, ଚାପର ପ୍ରକାର, ଚାପ ଓ ଉଦ୍ବେଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଦୈନନ୍ଦିନ ଜୀବନର ଚାପକୁ କିପରି ସଫଳତାର ସହ ମୁକାବିଲା କରାଯିବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

ବିଶେଷକରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ପରୀକ୍ଷାଜନିତ ଚାପ, ଉଦ୍ବେଗ ଓ ବିଫଳତାର ଭୟ ଦୂର କରିବା ସହ ଛାତ୍ରଛାତ୍ରୀଙ୍କ ମାନସିକ ସାମର୍ଥ୍ୟ ଓ ସମସ୍ୟା ସମାଧାନ କୌଶଳ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଅବସାଦ, ହିଂସା, ନିର୍ଯାତନା ଓ ଅନ୍ୟାନ୍ୟ ଭାବଗତ ଏବଂ ଆଚରଣଗତ ସମସ୍ୟା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା ବୃଦ୍ଧି, ପରୀକ୍ଷାଜନିତ ଚାପ ହ୍ରାସ ଏବଂ ମାନସିକ ସମସ୍ୟାକୁ ସୁସ୍ଥ ଭାବେ ମୁକାବିଲା କରିବାର କ୍ଷମତା ବିକାଶ କରିବା।
ଛବିଳ ସେଠ୍ ମଞ୍ଚ ପରିଚାଳନା କରିଥିଲେ , ଜଶୋବନ୍ତ ସାହା ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l