ବେଲଗୁଣ୍ଠାରେ ସମୂହ ଗଣେଶ ବିସର୍ଜନ

9


ଆଠ ବର୍ଷର ପରମ୍ପରାରେ ଏକାଠି ହେଲେ ସହରର ବିଭିନ୍ନ ମେଢ଼, ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ବେଲଗୁଣ୍ଠା, ୨୦/୯: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଦୀର୍ଘ ଆଠ ବର୍ଷ ଧରି ଚାଲିଆସୁଥିବା ସମୂହ ଗଣେଶ ବିସର୍ଜନ ଉତ୍ସବ ଆଜି ଭକ୍ତି ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ସହରର ବିଭିନ୍ନ ସାହିରେ ପୂଜା ପାଉଥିବା ଗଣେଶ ମେଢ଼ଗୁଡ଼ିକ ଏକତ୍ରିତ ହୋଇ ସମୂହ ବିସର୍ଜନ ଉତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ବେଲଗୁଣ୍ଠା ସହର ଉତ୍ସବମୁଖର ପରିବେଶ ସହ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ସମୂହ ବିସର୍ଜନ କାର୍ଯ୍ୟକ୍ରମ ପୂର୍ବରୁ ଶନିବାର ରାତିରେ ବେଲଗୁଣ୍ଠା ଥାନା ପରିସରରେ ଲଟେରୀ ମାଧ୍ୟମରେ ବିଭିନ୍ନ ମେଢ଼ର କ୍ରମ ନିର୍ଦ୍ଧାରଣ କରାଯାଇଥିଲା। ବଣିକ ସଂଘ ସଭାପତି ସନତ ସୁବୁଦ୍ଧି, ବେଲଗୁଣ୍ଠା ପ୍ରେସ୍‌କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ମା’ ଦକ୍ଷିଣକାଳୀ ଯାତ୍ରା କମିଟି ସଭାପତି ଭାସ୍କର ପାତ୍ର, ସାମ୍ବାଦିକ ଶିବରାମ ଚୌଧୁରୀଙ୍କ ସମେତ ବିଭିନ୍ନ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଲଟେରୀ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ମେଢ଼କୁ ପେଣ୍ଠ ସାହିରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଜି ସରକାରଙ୍କ ନୀତିନିୟମ ଅନୁସାରେ ପାରମ୍ପରିକ ବାଦ୍ୟବାଜଣା ସହ ପ୍ରତ୍ୟେକ ମେଢ଼ ନିଜ ନିଜ ସାହି ପରିକ୍ରମା କରି ପେଣ୍ଠ ସାହିରେ ରାତ୍ର ସାତ ଘଣ୍ଟ ତିରିଶ ମିନଟ ରେ ଏକତ୍ରିତ ହୋଇଥିଲା। ସେଠାରେ ସମୂହ ଭାବେ ୧୦୮ ଆଳତି ଓ ପୂଜା କରାଯାଇଥିଲା। ଆଳତି ଦର୍ଶନ ପାଇଁ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖାଯାଇଥିଲା।ପୋଲିସ ପ୍ରଶାସନର ଉପସ୍ଥିତିରେ ନିର୍ଦ୍ଧାରିତ କ୍ରମ ଅନୁସାରେ ମେଢ଼ଗୁଡ଼ିକ ପେଣ୍ଠ ସାହି, ବାଙ୍କ ବଜାର, ହାଟପଦା ଦେଇ ଜଗନ୍ନାଥ ପ୍ରସାଦ ଛକ ଓ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲା। ସେଠାରୁ ପୂଜା କମିଟିଗୁଡ଼ିକ ନିଜ ନିଜ ମେଢ଼କୁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ବିସର୍ଜନ ସ୍ଥଳକୁ ନେଇଥିଲେ।ଉତ୍ସବର ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମାଜିଷ୍ଟ୍ରେଟ ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଦାୟିତ୍ୱ ତୁଲାଇଥିବାବେଳେ ଭଞ୍ଜନଗର ଏସ୍‌ଡିପିଓ ଡ. ଦୀପକ ମିଶ୍ର ଓ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ବାହିନୀ ମୁତୟନ ହୋଇଥିଲେ।ବିଦ୍ୟୁତ ବିଭାଗ, ପ୍ରେସ୍‌କ୍ଲବ, ଏନ୍‌ଏସି, ବଣିକ ସଂଘ, ଅଗ୍ନିଶମ ବାହିନୀ ସମେତ ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.