ପଦ୍ମପୁର, ଶିବାଶିଷ ପଟ୍ଟନାୟକ: ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପରିସରରେ ଅବର୍ଣିରଗୁଁଣା ନାଟ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ମୋହିଥିଲା।
ପ୍ରଥମେ ସମ୍ବଲପୁରର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ଡ. ଅସିତ କୁମାର ଶତପଥୀଙ୍କ ନିର୍ଦ୍ଦେଶନାରେ ‘ଭାବ ନୁ ଅଭାବ’ ନାଟକ ପରିବେଷଣ କରାଯାଇଥିଲା। ଏହାପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ୍ପିଏ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡ. ଚନ୍ଦ୍ରକାନ୍ତ ମହାନନ୍ଦଙ୍କ ନିର୍ଦ୍ଦେଶନାରେ ‘ନାଗମଣ୍ଡଳ’ ନାଟକ ମଞ୍ଚସ୍ଥ ହୋଇଥିଲା। ଉଭୟ ନାଟକର ଉଚ୍ଚକୋଟୀର ଅଭିନୟ ଓ ଉପସ୍ଥାପନା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମେୟର ଚିତ୍ତରଞ୍ଜନ ଦାଶ ଓ ଲାୟନ୍ ବେଣୁମାଧବ ଦୋରା ଯୋଗଦେଇଥିଲେ। ସେମାନେ ଗଣମାଧ୍ୟମ ପ୍ରତିନିଧି ଓ କଳାକାରମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ନାଟ୍ୟ ସଂସଦର ଉପଦେଷ୍ଟା କେଶରଞ୍ଜନ ପ୍ରଧାନ ମହୋତ୍ସବର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ନିଜର ମତ ରଖିଥିଲେ।

ସଭାପତି ଚିନ୍ମୟ କୁମାର ପଣ୍ଡା ଓ ସମ୍ପାଦକ ଅଶୋକ କୁମାର ବହିଦାର ମହୋତ୍ସବର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମନୀଷ ରଥ ମଞ୍ଚ ପରିଚାଳନା କରିଥିବାବେଳେ ନାଟ୍ୟ ସମ୍ପାଦକ ଟେନେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।