ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ୬ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ;

11


ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ଶିକ୍ଷାର୍ଥୀ ଓ ଉଲ୍ଲାସ ପରୀକ୍ଷାର୍ଥୀ,

ଓଡ଼ଗାଁ, ୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ଅଞ୍ଚଳର ୬ଟି ବିଦ୍ୟାଳୟ ସମେତ ଅନ୍ୟ କେତେକ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଥିବାରୁ ଶିକ୍ଷାଦାନ ବ୍ୟାହତ ହୋଇଛି। ଏଥିସହ ଗରମ ଓ ଗୁଳୁଗୁଳିରେ ଶିକ୍ଷାର୍ଥୀମାନେ ହନ୍ତସନ୍ତ ହେଉଛନ୍ତି। ବିଦ୍ୟୁତ୍ ଅଭାବରୁ ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି।ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ ବାହାଡ଼ାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାପୁଜୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଡିମିରିପଦର, ଯୋଡ଼ାସାହି, ହାତିଆଶିଳା ଓ ସିଆରିମାଳ ସରକାରୀ ବିଦ୍ୟାଳୟ ରହିଛି। ସୂଚନାନୁସାରେ, ବିଦ୍ୟାଳୟଗୁଡ଼ିକରେ ବିଦ୍ୟୁତ୍ ଦେୟ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ମାଧ୍ୟମରେ ପୈଠ କରାଯାଉଥିଲା। ତେବେ କିଛିଦିନ ହେଲା ବିଦ୍ୟୁତ୍ ସଂଯୋଗ କଟିଯାଇଥିଲେ ମଧ୍ୟ ଏହାର ପ୍ରତିକାର କରାଯାଇନାହିଁ। ସ୍ମାର୍ଟ ମିଟର ଲାଗିଥିବାରୁ ନିର୍ଦ୍ଧାରିତ ସମୟରେ ଦେୟ ପୈଠ ନହେଲେ ସ୍ୱୟଂଚାଳିତ ଭାବେ ବିଦ୍ୟୁତ୍ ବିଚ୍ଛିନ୍ନ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଆଜି ଉଲ୍ଲାସ ଯୋଜନାର ପରୀକ୍ଷା ଦେବାକୁ ଆସିଥିବା ବୟସ୍କ ପରୀକ୍ଷାର୍ଥୀ ମାନେ ମଧ୍ୟ ଗରମ ଓ ଗୁଳୁଗୁଳିରେ ଅସୁବିଧା ଭୋଗିଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରି ବିଦ୍ୟାଳୟ ଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରିବାକୁ ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକର ଅଭିଭାବକମାନେ ଦାବି କରିଛନ୍ତି।

Leave A Reply

Your email address will not be published.