ଘାସି ସାହି ବସ୍ତି ଓ ବିଡୁଆ ଗ୍ରାମରେ ଶିଶୁମାନଙ୍କ ସହ ଗଣେଶ ଚତୁର୍ଥୀ ଓ ଶ୍ରୀରାଧାଷ୍ଟମୀ ର ମହତ୍ତ୍ୱ

12

ବୁଦ୍ଧି ଓ ଭକ୍ତିର ସମନ୍ୱୟ ଉପରେ ବାଳ-ମୁକୁନ୍ଦ କେନ୍ଦ୍ରର ବାର୍ତ୍ତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପେକ୍ଷିତ ତଥା ଅବହେଳିତ ଶିଶୁମାନଙ୍କ ମଧ୍ୟରେ ନୈତିକ ଶିକ୍ଷା , ସଂସ୍କାର ଓ ସାମାଜିକ ଚେତନା ଜାଗ୍ରତ କରିବା ଲକ୍ଷ୍ୟରେ ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଗଣେଶ ପୂଜା ଅବସରରେ ସ୍ୱତନ୍ତ୍ର ଶିଶୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଜି ପ୍ରଭାତରେ ପାରଳାଖେମୁଣ୍ଡି ପୌରାଞ୍ଚଳ ଅନ୍ତର୍ଗତ ଉପେକ୍ଷିତ ଶିଶୁବହୁଳ ଘାସି ସାହି ବସ୍ତିରେ ଏବଂ ଅପରାହ୍ନରେ ଗୁମ୍ମା ବ୍ଲକର ବିଡୁଆ ଗ୍ରାମରେ ଆୟୋଜିତ ଗଣେଶ ପୂଜା ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
‎​ଉଭୟ ସ୍ଥାନରେ ଉପସ୍ଥିତ କୁନି କୁନି ଶିଶୁମାନଙ୍କୁ ନେଇ ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ତଥା ଶିକ୍ଷାବିତ୍ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଗଣେଶ ପୂଜାର ପ୍ରକୃତ ଉଦ୍ଦେଶ୍ୟ ଏବଂ ରାଧାଷ୍ଟମୀର ପବିତ୍ର ସମ୍ପର୍କ ବିଷୟରେ ବୁଝାଇଥିଲେ। ସେ କହିଥିଲେ ଯେ, ପ୍ରଭୁ ଗଣେଶ ହେଉଛନ୍ତି ସଦ୍‌ବୁଦ୍ଧି , ବିଦ୍ୟା ଏବଂ ବିବେକର ପ୍ରତୀକ , ଯାହା ଶିଶୁମାନଙ୍କୁ ପାଠପଢ଼ା ସହ ନ୍ୟାୟ-ଅନ୍ୟାୟ ଚିହ୍ନିବାର କ୍ଷମତା ଦିଏ। ଅନ୍ୟପକ୍ଷରେ, ଶ୍ରୀରାଧାରାଣୀ ହେଉଛନ୍ତି ନିଃସ୍ୱାର୍ଥପର ପ୍ରେମ , କରୁଣା , ନମ୍ରତା ଓ ଭକ୍ତିର ପରାକାଷ୍ଠା। କେବଳ ବୁଦ୍ଧି ଥିଲେ ମଣିଷ ଭିତରେ ଅହଂକାର ଆସିପାରେ , କିନ୍ତୁ ବୁଦ୍ଧି ସହିତ ଶ୍ରୀରାଧାଙ୍କ ଭଳି ଭକ୍ତି ଓ ସ୍ନେହ ମିଶିଲେ ହିଁ ଜଣେ ଆଦର୍ଶ ମଣିଷ ଗଠନ ହୋଇପାରିବ। “ମୁଣ୍ଡରେ ଗଣେଶଙ୍କ ବୁଦ୍ଧି ଏବଂ ହୃଦୟରେ ରାଧାଙ୍କ ଭକ୍ତି ଓ ଶୁଦ୍ଧି” ରଖିବା ପାଇଁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।
‎​ଏଥିସହିତ ଶ୍ରୀଗଣେଶଙ୍କ ମାତୃ-ପିତୃ ଭକ୍ତିରୁ ପ୍ରେରଣା ନେଇ ବାପା-ମା’ ଓ ଗୁରୁଜନଙ୍କୁ ସମ୍ମାନ ଜଣାଇବା , ନିୟମିତ ବିଦ୍ୟାଳୟ ଯାଇ ସାକ୍ଷର ହେବା , ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ସମସ୍ତଙ୍କ ସହ ମିଳିମିଶି ଭ୍ରାତୃଭାବ ରକ୍ଷା କରିବା ପାଇଁ ଶିଶୁମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବସ୍ତି ତଥା ଗ୍ରାମାଞ୍ଚଳର ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ନୈତିକ ଉତ୍ଥାନ ପାଇଁ ବାଳ-ମୁକୁନ୍ଦ କେନ୍ଦ୍ରର ଏହି ପ୍ରୟାସକୁ ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.