ଜଗନ୍ନାଥ ବିଗ୍ରହ ନିର୍ମାଣ ପାଇଁ ଦାରୁଛେଦନ; ଦର୍ଶନ ପାଇଁ ପନ୍ତିଖାରୀ ଗ୍ରାମରେ ଶ୍ରଦ୍ଧାଳୁଙ୍କ ସମାଗମ

7

ଓଡ଼ଗାଁ, ୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମ କୋଠସାହିର ନବନିର୍ମିତ ଜଗନ୍ନାଥ ମନ୍ଦିର ପାଇଁ ପନ୍ତିଖାରୀ ଶାସନ ଗ୍ରାମରେ ଚିହ୍ନଟ ଦାରୁଛେଦନ କାର୍ଯ୍ୟକ୍ରମ ରବିବାର ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି। ଏହି ଦାରୁରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ କରାଯିବ। ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ବୈଦିକ ବ୍ରାହ୍ମଣମାନେ ପୂଜାର୍ଚ୍ଚନା ଓ ଯଜ୍ଞକର୍ମ ସମ୍ପାଦନ କରିଥିଲେ। ରଙ୍ଗଣୀପାଟଣା ଗ୍ରାମର ସତ୍ୟବାଦୀ ପଣ୍ଡା ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ସକାଳେ ଶତାଧିକ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରାରେ ଉଭୟ ଗ୍ରାମ ପରିକ୍ରମା କରିବା ପରେ ପୂଜା ବେଦିରେ କଳସ ସ୍ଥାପନ କରାଯାଇଥିଲା। ପୂଜାବିଧି ସମାପନ ପରେ ନିଯୁକ୍ତ କାରିଗର ରଙ୍ଗଣୀପାଟଣାର ନାରାୟଣ ସୂତାର ନବନିର୍ମିତ କୁରାଢ଼ିରେ ଦାରୁଛେଦନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହରିବୋଲ ଓ ହୁଳହୁଳି ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଅପରାହ୍ନ ପ୍ରାୟ ୩ଟାରେ ଦାରୁଛେଦନ ଶେଷ ହେବା ପରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଖୋଳ, ତାଳ ଓ ଘଣ୍ଟ ବାଦ୍ୟ ସହ କୀର୍ତ୍ତନିଆମାନଙ୍କ ମହାମନ୍ତ୍ର ଉଚ୍ଚାରଣ ମଧ୍ୟରେ ନୂତନ ଶଗଡ଼ିରେ ଦାରୁଙ୍କୁ ମନ୍ଦିର ନିକଟସ୍ଥ ନିର୍ମାଣସ୍ଥଳକୁ ନିଆଯାଇଥିଲା। ପନ୍ତିଖାରୀ ଗ୍ରାମର ଯୁବକମାନେ ଶ୍ରଦ୍ଧାଳୁଙ୍କ ପାଇଁ ଦହିପଣା ଓ ହାଲୁଆ ବଣ୍ଟନ କରିଥିଲେ। ପରେ ରଙ୍ଗଣୀପାଟଣାରେ ଅନୁଷ୍ଠିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ଗାଁ ଆଦର୍ଶ ଥାନାର ଏସ୍‌ଆଇ ଚକ୍ରଧର ସିଂହଙ୍କ ସମେତ ପୁଲିସ କର୍ମଚାରୀ, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ସମେତ ବନ ବିଭାଗ କର୍ମଚାରୀ, ସରପଞ୍ଚ ସସ୍ମିତା ପାତ୍ର ଓ ସମାଜସେବୀ କୈଳାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପଦ୍ୟୋଗୀ ଗୌରହରି ପାଣିଗ୍ରାହୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପନ୍ତିଖାରୀ ଶାସନ ଗ୍ରାମ୍ୟ କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.