ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ୨୫ ରୁବନ୍ଦୋଲାନ କୁ ଓହ୍ଲାଇବ କୋଶଲ ସେନା

8


ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜାଜି ଟାଉନ ହଳ ଠାରେ ଆସନ୍ତା ୨୫/୯/୨୬ ଠାରୁ କୋଶଲ ସେନା ଦ୍ୱାରା ପଦ୍ମପୁର ଉପଖଣ୍ଡ ର ବିପଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ହେବାକୁ ଥିବା ଆମରଣ ଅନଶନ ଉପରେ ଅଜିତ କୁମାର ଶତପଥି ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ ସ୍ୱାଧୀନତା ର ୮୦ ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି। ସରକାର ପରେ ସରକାର ପରିବର୍ତ୍ତନ ହେଉଛି ଓ କ୍ରମାଗତ ଭାବେ ପଶ୍ଚିମ ଓଡ଼ିଶା ରୁ ନିରଞ୍ଜନ ବିଶି, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୁଝାରି, ନବ ଦାସ ଓ ବର୍ତମାନ ମୁକେଶ ମହାଳିଙ୍ଗ ଓଡିଶା ସରକାର ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଲୋକଙ୍କ ଆଶୀର୍ବାଦ ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି କିନ୍ତୁ ସ୍ୱାସ୍ଥ୍ୟସେବା ର ସ୍ୱାସ୍ଥ୍ୟ ଠିକ ନାହିଁ। ପଦ୍ମପୁର ଉପଖଣ୍ଡ ଏକ ଗରିବ, ଦଳିତ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳ। ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ।

ମୌଳିକ ସ୍ୱାସ୍ଥ୍ୟସେବା ରୁ ବଞ୍ଚିତ ଅଂଚଳବାସୀ ଛୋଟ ଛୋଟ ରୋଗ ର ଚିକିତ୍ସା ପାଇଁ କର୍ପୋରେଟ ହସ୍ପିଟାଲ ର ଶୋଷଣ ର ଶିକାର ହେଉଛନ୍ତି ଓ ଅର୍ଥାଭାବ ରୁ ଚିକିତ୍ସା ହୋଇ ନ ପାରି ଅକାଳ ମୃତ୍ୟ ବରଣ କରୁଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଓ ନର୍ସିଂ କର୍ମଚାରୀ ଙ୍କ ମରୁଡି ଦେଖାଦେଇଛି। ଅନୁମୋଦିତ ୩୧ ଜଣ ଡାକ୍ତର ମଧ୍ୟରୁ ମାତ୍ର ୯ ଜଣ ଡାକ୍ତର ଥିବାବେଳେ ୭୨ ଜଣ ନର୍ସିଂ କର୍ମଚାରୀ ମଧ୍ୟରୁ ମାତ୍ର ୧୭ ଜଣ ଅଛନ୍ତି। ଫାର୍ମାସିଷ୍ଟ ପଦବୀ ଖାଲି ପଡିଛି। ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ଥିବା ସହ ବହିର୍ବିଭାଗ ରେ ଡାକ୍ତର ଅଭାବରୁ ରୋଗୀଙ୍କ ଲମ୍ବା ଧାଡି ଲାଗିରହୁଛି। ଡାକ୍ତରଙ୍କୁ ଦେଖାଇ ନ ପାରି ଦୂରଦୂରାନ୍ତରୁ ଆସୁଥିବା ରୋଗୀ ବାଧ୍ୟ ହୋଇ ଫେରିଯାଉଛନ୍ତି ନତୁବା ଘରୋଇ ଚିକିତ୍ସା କରାଇ ବିପୁଳ ଖର୍ଚ୍ଚ ଓ ଶୋଷଣ ର ଶିକାର ହେଉଛନ୍ତି। ଆବଶ୍ୟକୀୟ କର୍ମଚାରୀ ଅଭାବରୁ ପଦ୍ମପୁର ରକ୍ତ ଭଣ୍ଡାର ର ଲାଇସେନ୍ସ ନବୀକରଣ ହୋଇ ପାରୁନାହିଁ ଓ ନିକଟ ଭବିଷ୍ୟତ ରେ ବନ୍ଦ ହେବାକୁ ଯାଉଛି। ଆବଶ୍ୟକୀୟ ଔଷଧ ମିଳୁନାହିଁ ତଥା ଅସ୍ତ୍ରୋପଚାର ଗୃହ କାର୍ଯ୍ୟକ୍ଷମ ହେଉନାହିଁ। ବିକାଶର ଅର୍ଥ ଯଦି ଏହା ତା ହେଲେ ଏପରି ବିକାଶ ବିନାଶ ସଦୃଶ ବୋଲି କୋଶଲସେନା ର ଉପଦେଷ୍ଟା ତଥା ଆଶା ଓ ସତ୍କାର ର ସମ୍ପାଦକ ଅଜିତ ଶତପଥି କହିଛନ୍ତି।ଗତ ୨୭/୩/୨୫ ତାରିଖରେ କୋଶଲ ସେନା ତରଫରୁ ଆମରଣ ଅନଶନ ହୋଇଥିଲା। ତିନିଦିନ ଅନଶନ ପରେ ୩ଜଣ ଡାକ୍ତର ନିଯୁକ୍ତି ଦିଆଯାଇଛି ବୋଲି ସରକାର ଙ୍କ ଠାରୁ ପତ୍ର ଆସିବା ପରେ ପ୍ରଶାସନ ଅନ୍ୟ ପଦବୀ ଶୀଘ୍ର ପୂରଣ ହେବାର ପ୍ରତିଶ୍ରୁତି ଦେଇ ଅନଶନ କୁ ବନ୍ଦ କରିଥିଲେ ମାତ୍ର ଦୁର୍ଭାଗ୍ୟ ର ବିଷୟ ସେଥି ମଧ୍ୟରୁ ଜଣେ ହେଲେ ଡାକ୍ତର କାର୍ଯ୍ୟରେ ଯୋଗ ଦେଲେନାହିଁ ଓଲଟା ସରକାରୀ ଆଦେଶ ରେ ପୁଣି ସେମାନଙ୍କ ବଦଳି ଅନ୍ୟ ସ୍ଥାନ କୁ ହେଲା ତଥାପି ସରକାର ଓ ପ୍ରଶାସନ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେନାହିଁ।ଶଯ୍ୟା ଅଭାବରୁ ରୋଗୀଙ୍କୁ ବାରଣ୍ଡାରେ ତଳେ ଶୁଆଇ ଚିକିତ୍ସା କରାଯାଉଛି।

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଉପରେ ଝାରବନ୍ଧ, ପାଇକମାଳ, ଗାଇସିଲଟ ଓ ପଦ୍ମପୁର ବ୍ଲକ ସହିତ ପଡୋଶୀ ଛତିଶଗଡ ର ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି ମାତ୍ର ଅବହେଳା ଚରମ ସୀମା ରେ ପହଂଚି ଅସହ୍ୟ ହେବାରୁ ଶେଷରେ ୨୫ ତାରିଖରୁ ଆମରଣ ଅନଶନ ର ଡାକରା ଦିଆଯାଇଛି। ଏହି ଆମରଣ ଅନଶନ କୁ ନାଗରିକ କମିଟି, ବଣିକ ସଂଘ, ଆଶା ଓ ସତ୍କାର, ସହଯୋଗ ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ,ଏବିସିଡ଼ି,ସୁନ୍ନି ମୁସଲିମ ସମାଜ, ସାର୍ବଜନୀନ ଦୁର୍ଗା ପୂଜା କମିଟି, ରାଜବୋରାସମ୍ବର କୃଷକ ସଂଗଠନ, ସ୍ଵପ୍ନେଶ୍ଵର ବାବା ଶୀତଳଷଷ୍ଠୀ କମିଟି, କୋଶଲ ମୁକ୍ତି ମୋର୍ଚା, ସିରଜିନା ସାଂସ୍କୃତିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ସଂଗଠନ ପୂର୍ଣ ସହଯୋଗ କରିବା ପାଇଁ ଆଜି ବୈଠକରେ ଉପସ୍ଥିତ ହୋଇ ଘୋଷଣା କରିଥିଲେ ଓ ସମସ୍ତ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକ ରେ ସମାଜସେବୀ ନିରୋଜ ଦୋରା, ଉମେଶ ସାହୁ, ପ୍ରତାପ ମିଶ୍ର, ସନ୍ତୋଷ ମହାନ୍ତି, ଯୁଗଳକିଶୋର ସାହୁ, ପ୍ରୀତିରଞ୍ଜନ ପଧାନ, ସୌମ୍ୟର୍କ ପଟନାୟକ ,ମୌସମ ପାଗଡ଼ା, ସୁବାସ ସାମନ୍ତରାୟ,ପ୍ରମୁଖ ନିଜ ଅନୁଷ୍ଠାନ ତରଫରୁ ମତାମତ ରଖିଥିଲେ।ନାଗରିକ କମିଟି ସମ୍ପାଦକ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.