ବାସୁଦେବପୁର ଗଣେଶ ପୂଜାରେ ପୌରାଣିକ ସଂସ୍କୃତିର ଝଲକ

56


ମେଲୋଡି ଓ ଡିଜେକୁ ବାଦ୍ ଦେଇ ରାଧାପ୍ରେମ ଲୀଳାଠାରୁ ପାଲା, ଦାସକାଠି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ


ବେଲଗୁଣ୍ଠା, ୧୯/୯:-(ଶିବରାମ ଚୌଧୁରୀ )-ଆଧୁନିକତାର ଚାକଚକ୍ୟ ଓ ଡିଜେର କୋଳାହଳଠାରୁ ଦୂରେଇ ପୌରାଣିକ କଳା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ଗଣେଶ ପୂଜା ପାଳନ କରୁଛି ବାସୁଦେବପୁର ଆର୍.କେ. ଗ୍ରୁପ୍। ବେଲଗୁଣ୍ଠା ବ୍ଲକ୍ ଗୋବରା ନିକଟସ୍ଥ ବାସୁଦେବପୁରରେ ଚଳିତବର୍ଷ ଗଣେଶ ପୂଜା ଅବସରରେ ଆୟୋଜିତ ହେଉଛି ବିଭିନ୍ନ ପୌରାଣିକ ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ।
ଆଧୁନିକ ମେଲୋଡି ଓ ଡିଜେ କାର୍ଯ୍ୟକ୍ରମକୁ ବାଦ୍ ଦେଇ ଆର୍.କେ. ଗ୍ରୁପ୍ ପକ୍ଷରୁ ରାଧାପ୍ରେମ ଲୀଳା, ପ୍ରହଲ୍ଲାଦ ନାଟକ, ଭାରତ ଲୀଳା, ପାଲା, ଦାସକାଠି ଓ ସଙ୍କୀର୍ତ୍ତନ ଭଳି ଲୋକପ୍ରିୟ ପାରମ୍ପରିକ କଳାକୁ ମଞ୍ଚସ୍ଥ କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ପୁରୁଣା କଳା, ସଂସ୍କୃତି ଓ ପୌରାଣିକ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଉଦ୍ୟମ କରାଯାଇଛି। ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଆଳତି, ଭଜନ-ସଙ୍କୀର୍ତ୍ତନ ସହିତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହ ମେଳାର ଆୟୋଜନ ହୋଇଥିବାରୁ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପୌରାଣିକ ନାଟକ ଓ ପାରମ୍ପରିକ କଳା ପ୍ରଦର୍ଶନକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହେଉଛି। ଆଧୁନିକ ମନୋରଞ୍ଜନ ପରିବର୍ତ୍ତେ ପରମ୍ପରା ଓ ସଂସ୍କୃତିକୁ ନେଇ ଗଣେଶ ପୂଜା ପାଳନର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.