ଓଡ଼ଗାଁ, ୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ସ୍ୱଚ୍ଛତା ହିଁ ସେବା-୨୦୨୬’ ପାଳନ ଅବସରରେ ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶୈକ୍ଷିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ଜାରିଙ୍ଗିସ୍ଥିତ ଓଡ଼ଗାଁ ଏନ୍ଏସିର ବିଭିନ୍ନ ପରିମଳ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ଲକ୍ଷ୍ୟରେ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ଏହି ପରିଦର୍ଶନର ଆୟୋଜନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଏନ୍ଏସି ସଫେଇ ବିଭାଗ ମୁଖ୍ୟ ବରଦା ପ୍ରସନ୍ନ ଦାସଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର, ସାମଗ୍ରୀ ପୁନଃ ଉଦ୍ଧାର କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ବୁଲି ଦେଖିଥିଲେ। କେନ୍ଦ୍ର ଗୁଡ଼ିକରେ ଆବର୍ଜନା ପରିଚାଳନା, ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀର ପୃଥକୀକରଣ ଏବଂ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନାର ପ୍ରକ୍ରିୟାକରଣ ସମ୍ପର୍କରେ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟକ୍ଷ ଭାବେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ସାହୁଙ୍କ ସମେତ ଶିକ୍ଷୟିତ୍ରୀ ଗିର୍ବାଣୀ କର ଓ ସ୍ୱର୍ଣ୍ଣଲତା ସାହୁଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ଏହି ଶିକ୍ଷଣୀୟ ପରିଦର୍ଶନ କରିଥିଲେ। ସ୍ୱଚ୍ଛ ଓ ସୁନ୍ଦର ପରିବେଶ ମଧ୍ୟରେ ଆବର୍ଜନାକୁ କିପରି ପୁନଃବ୍ୟବହାର ଯୋଗ୍ୟ କରାଯାଉଛି, ତାହା ଦେଖି ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରକାଶ କରିଥିଲେ।