ପ୍ରତିଦିନ ଘଟୁଛି ଦୁର୍ଘଟଣା, ମରାମତି ପାଇଁ ବିଧାୟକଙ୍କ ନିକଟରେ ଦାବି ରଖିଲେ ଗ୍ରାମବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ସୁରକ୍ଷାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ଏବଂ ପାରଳାଖେମୁଣ୍ଡି–ବ୍ରହ୍ମପୁର–ପଲାସା ଯାତାୟାତର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଭୂତଳ ପୋଲ ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଏହା ସହିତ ମନ୍ଦିର ପାଚେରୀକୁ ଲାଗି ପ୍ରାୟ ୧୦ ଫୁଟ ଗଭୀର ଏକ ବିରାଟ ଗାତ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁର୍ଘଟଣାକୁ ନେଇ ଭୟ ବଢ଼ିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନୂଆ କେରେଣ୍ଡି ଗ୍ରାମର ଅନେକ ଅଞ୍ଚଳରୁ ନିଷ୍କାସିତ ହେଉଥିବା ବର୍ଷା ଓ ନାଳପାଣି ଏହି ଗାତ ଦେଇ ରାମସାଗରକୁ ଯାଇଥାଏ। କିନ୍ତୁ ଗାତର ଅବସ୍ଥା ଦିନକୁ ଦିନ ଅଧିକ ବିପଜ୍ଜନକ ହେଉଥିବାରୁ ଏହା ଏବେ ଯାତାୟାତକାରୀଙ୍କ ପାଇଁ ମୃତ୍ୟୁଫାନ୍ଦ ପାଲଟିଛି ବୋଲି ଅଭିଯୋଗ ହୋଇଛି।
ବିଶେଷକରି ରାତ୍ରି ସମୟରେ ଏହି ସ୍ଥାନଟି ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଛି। ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ଗାତ ଓ ଭଙ୍ଗା ପୋଲ ସମ୍ପର୍କରେ ଦୂରରୁ ଯାତାୟାତକାରୀମାନେ ସହଜରେ ଜାଣିପାରୁନାହାନ୍ତି। ଫଳରେ ଦୁଇଚକିଆ ଯାନ, ସାଇକେଲ ଓ ଅନ୍ୟାନ୍ୟ ଯାନବାହନ ଚାଳକମାନେ ବିପଦରେ ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟକ ଯାନବାହନ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ପଲାସା ଅଭିମୁଖେ ଯାତାୟାତ କରୁଛି। ଏପରି ଏକ ବ୍ୟସ୍ତ ରାସ୍ତା କଡ଼ରେ ଏତେ ବଡ଼ ଗାତ ଖୋଲା ଅବସ୍ଥାରେ ରହିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ହୋଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସ୍ଥାନରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷକରି ଅସାବଧାନତା କିମ୍ବା ଅନ୍ଧାରରେ ଯାତାୟାତ କରୁଥିବା ଲୋକେ ଗାତରେ ପଡ଼ି ଆହତ ହେବାର ଆଶଙ୍କା ରହିଛି। ଆଗାମୀ ଦିନରେ ଏଠାରେ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଓ ପୂର୍ତ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଅଭିଯୋଗ ଶୁଣି ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ
ଗ୍ରାମବାସୀଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ଗୁରୁତ୍ୱ ସମ୍ପର୍କରେ ଜାଣିବା ପରେ ବିଧାୟକ ତୁରନ୍ତ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ଅବଗତ କରିଥିଲେ।
ବିଧାୟକ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀଙ୍କ ସହ ଯୋଗାଯୋଗ କରି ଉକ୍ତ ସ୍ଥାନରେ ଥିବା ଗାତ ଓ ଭୂତଳ ପୋଲର ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା କଥା, ଏହା କେବଳ ଏକ ଛୋଟ ରାସ୍ତା ସମସ୍ୟା ନୁହେଁ; ଏହା ଲୋକଙ୍କ ଜୀବନ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ। ମନ୍ଦିର ନିକଟରେ ଥିବାରୁ ପୂଜାପାଠ ଓ ବିଭିନ୍ନ ଧାର୍ମିକ ଅବସରରେ ଏଠାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଥାଏ। ଏପରି ସ୍ଥାନରେ ବିରାଟ ଗାତ ଖୋଲା ରହିବା ଏବଂ ପୋଲ ଭାଙ୍ଗିଯାଇଥିବା ଅବସ୍ଥାରେ ଥିବା ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ଗ୍ରାମବାସୀ କହିଛନ୍ତି।
ତେଣୁ ଗାତକୁ ସୁରକ୍ଷିତ ଭାବେ ପୋତିବା/ପ୍ରତିରୋଧ କରିବା , ଭୂତଳ ପୋଲର ଆବଶ୍ୟକୀୟ ମରାମତି, ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ରାସ୍ତା କଡ଼ରେ ସତର୍କତାମୂଳକ ବ୍ୟବସ୍ଥା ଓ ଆଲୋକୀକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏହି ଗସ୍ତ ସମୟରେ ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲାରାଜୁ , ସ୍ଥାନୀୟ ସରପଞ୍ଚ ୱାଇ. ଦଣ୍ଡପାଣି , ୱାର୍ଡ ମେମ୍ବର ସନିଆ ପଲେଇ , ପୂର୍ବତନ ସମିତି ସଭ୍ୟ ଦିବାକର ରାଓ, ବ୍ରହ୍ମାନନ୍ଦ ପଣ୍ଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ।
ଘଟଣାସ୍ଥଳରେ ସମସ୍ୟାର ଗମ୍ଭୀରତା ଅନୁଧ୍ୟାନ କରାଯାଇଥିବାରୁ ଖୁବ୍ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ତେବେ କେବଳ ମୌଖିକ ନିର୍ଦ୍ଦେଶରେ ସୀମିତ ନରହି ଯଥାଶୀଘ୍ର ମାଟିସ୍ତରରେ କାମ ଆରମ୍ଭ କରାଯାଇ ରାସ୍ତାକୁ ଦୁର୍ଘଟଣାମୁକ୍ତ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ ଏକମାତ୍ର ଦାବି: ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଗାତ ଓ ଭଙ୍ଗା ପୋଲର ସ୍ଥାୟୀ ମରାମତି କରାଯାଉ।