ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ନୀରବ ସତ୍ୟାଗ୍ରହ ପାଳନ କରାଯାଇଛି। ଏଥିରେ ଗଜପତି ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ସାରା ଓ ବାଡ଼ିଗାଁ ବୁଡ଼ି ଅଞ୍ଚଳର ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।
ମହାମଞ୍ଚ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖି ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଦାବି କରାଯାଇଛି। ନେରେଡି ବ୍ୟାରେଜ ଯୋଗୁଁ ବଂଶଧାରା ଉପକୂଳବର୍ତ୍ତୀ ଅଞ୍ଚଳରେ ପଛୁଆ ଜଳ ପ୍ରବାହ, ଜଳବନ୍ଦୀ ଓ ବନ୍ୟା ଆଶଙ୍କା ନେଇ ମହାମଞ୍ଚ ଉଦ୍ବେଗ ପ୍ରକାଶ କରିଛି।ଏହି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଆପତ୍ତି ଉଠାଯାଇଥିବା ବେଳେ ସମ୍ପୃକ୍ତ ସ୍ପେଶାଲ ଲିଭ୍ ପିଟିସନ୍ ବିଚାରାଧୀନ ଥିବା ଦର୍ଶାଇ, ଜମି ହସ୍ତାନ୍ତର ପୂର୍ବରୁ ସମସ୍ତ ବୈଷୟିକ ଓ ଆଇନଗତ ଦିଗର ସ୍ୱାଧୀନ ମୂଲ୍ୟାୟନ ପାଇଁ ମହାମଞ୍ଚ ଦାବି କରିଛି।
ମହାମଞ୍ଚର ସଭାପତି ଗୌର ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଆବିଭକ୍ତ କୋରାପୁଟ ଓ ଗଜପତି ଜିଲ୍ଲା ପ୍ରତି ଅବିଚାର ଆଉ ସହ୍ୟ କରାଯିବ ନାହିଁ । ଦାବୀ ପୁରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ । ଦରକାର ପଡ଼ିଲେ ଆଇନର ସହାୟତା ନିଆଯିବ । “ଅବିଭକ୍ତ କୋରାପୁଟ ଓ ଗଜପତି ଜିଲ୍ଲାକୁ ଅନ୍ୟ ରାଜ୍ୟର ବିକାଶ ପାଇଁ ସମ୍ପଦ ଭଣ୍ଡାର ଭାବେ ବ୍ୟବହାର କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ଏହାର ସାମାଜିକ, ପର୍ଯ୍ୟାବରଣଗତ ଓ ଆର୍ଥିକ ମୂଲ୍ୟ ଦେବାକୁ ପଡୁଛି। ଏହା ଆଉ କେତେଦିନ ସହ୍ୟ କରିବୁ?” “ଇଥାନୁ ଆରି ନିଆଇ, ଏଇଠୁ ଆଉ ନାହିଁ ।“ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ବିଗତ ଦିନରେ ପ୍ରସ୍ତାବିତ ଗୁଡାରିର ପାଣି ଡଙ୍ଗର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତି ନେବାପାଇଁ ଦାବୀ ରଖିଥିଲେ । ଶ୍ରୀଯୁକ୍ତ ରାଓ ୨୦୦୫ ମସିହାରେ ତତ୍କାଳୀନ ଜଳ ସମ୍ପଦ ମନ୍ତ୍ରୀ ରବିନନ୍ଦଙ୍କ ଦ୍ୱାରା ଏହି ମେଗା ଜଳ ପ୍ରକଳ୍ପ କରିବା ପାଇଁ ଶିଳାନ୍ୟାସ କରିବା ପରେ ମଧ୍ୟ ଏ ଯାବତ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ବିଜେଡି ର ଜିଲ୍ଲା ସଭାପତି ପ୍ରଦୀପ ନାୟକ ଯୋଗଦେଇ ଓଡ଼ିଶା ଜନସାଧାରଣଙ୍କ ସ୍ବାର୍ଥ ବିରୋଧୀ କୌଣସି ପଦକ୍ଷେପକୁ ବରଦାସ୍ଥ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ମହାମଞ୍ଚର ଅନ୍ୟତମ ସଦସ୍ୟ ପ୍ରଦୀପ କୁମାର ସାହୁ କହିଥିଲେ ଯେ ୧୯୮୦ ମସିହାର ବନ୍ୟାରେ ଗୁଡ଼ାରୀ , ନାଇରା , ଗୁଣୁପୁର ଓ କାଶିନଗର ଧ୍ବଂସ ପାଇଯାଇଥିଲା , ନେରେଡ଼ି ଡ୍ଯାମ ହେଲେ ଗୁଣୁପୁର ଓ ଗୁଡ଼ାରୀ ଅଞ୍ଚଳ ବନ୍ୟାପ୍ଳାବିତ ହେବ ଏବଂ ତଳିଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ସତର୍କ ସୂଚନା ଦେଇଥିଲେ ।
ଏହି ଧର୍ମଘଟରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଭାରତ ଭୂଷଣ ମହାନ୍ତି , ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସମେତ ଉତ୍କଳ ସମ୍ମିଳନୀର ସଦସ୍ୟମାନେ ଯୋଗ ଦେଇ ନେରେଡ଼ି ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ବୁଡ଼ି ଅଞ୍ଚଳ ଓ କାଶୀନଗରରେ ଜଳପ୍ରବାହ ହ୍ରାସ ପାଇ ବାଲୁକାମୟ ଅଞ୍ଚଳ ବୃଦ୍ଧି ଏବଂ ଗୁଣପୁରରେ ବନ୍ୟା ଆଶଙ୍କା ବଢ଼ିବା ନେଇ ମଧ୍ୟ ସେମାନେ ଚିନ୍ତା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟଯେ ମହାମଞ୍ଚର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ରହିଛି: ଜମି ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା , ପ୍ରକଳ୍ପର ସମ୍ପୂର୍ଣ୍ଣ ନକ୍ସା ସାର୍ବଜନୀନ କରିବା , ସ୍ୱାଧୀନ ବୈଷୟିକ ଅନୁଧ୍ୟାନ ଓ ଜଳବନ୍ଦୀ ସମ୍ଭାବନାର ମୂଲ୍ୟାଙ୍କନ କରିବା , ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲିଖିତ ପ୍ରତିଶ୍ରୁତି ଓ ଜଳ ଅଧିକାର ସ୍ପଷ୍ଟ କରିବା । ସମସ୍ତ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ସୁନିଶ୍ଚିତ ନ ହେବା ଯାଏଁ କୌଣସି ଜମି ହସ୍ତାନ୍ତର ନ କରିବାକୁ ମହାମଞ୍ଚ ଦାବି କରିଛି।
କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଗଜପତି ଜିଲ୍ଲା କଂଗ୍ରେସ ଦଳ ସଭାପତି ବସନ୍ତ କୁମାର ପଣ୍ଡା । ଦାବିଗୁଡ଼ିକର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମବେତ ଭାବେ ଚେତାବନୀ ଦିଆଯାଇଥିଲା। ଶେଷରେ ମହାମଞ୍ଚର ବରିଷ୍ଠ ସଦସ୍ୟ ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post