ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଛେଣ୍ଡ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଆପାର୍ଟମେଣ୍ଟରେ ପ୍ରଥମଥର ପାଇଁ ସମସ୍ତ ବାସିନ୍ଦାଙ୍କ ଆଲୋଚନା ଓ ସହଯୋଗରେ ଆରମ୍ଭ ହୋଇଛି ଗଣେଶ ପୂଜା। ପ୍ରଥମଥର କଲୋନୀ ପରିସରରେ ଗଣେଶ ପୂଜା ଆୟୋଜିତ ହେଉଥିବାରୁ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।
ପୂଜାର ପ୍ରଥମ ଦିନ ଆପାର୍ଟମେଣ୍ଟର କମିଟି ସଦସ୍ୟମାନେ ବାଜାବାଜଣା ସହ ଗଣେଶ ଠାକୁରଙ୍କୁ ଶୋଭାଯାତ୍ରାରେ ଆଣିଥିଲେ। ପ୍ରଥମେ ନିର୍ଦ୍ଧାରିତ ସ୍ଥାନରେ ଠାକୁରଙ୍କୁ ରଖି ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ତାଙ୍କୁ ସୁସଜ୍ଜିତ ପୂଜା ମଣ୍ଡପକୁ ନିଆଯାଇଥିଲା।
ପୂର୍ବାହ୍ନ ପ୍ରାୟ ୧୦ଟାରେ ପୂଜକ ନାରାୟଣ ମିଶ୍ରଙ୍କ ଦ୍ୱାରା ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। କର୍ତ୍ତା ଭାବେ ଶ୍ରୀଧର ପୂଜାରେ ଉପସ୍ଥିତ ଥିଲେ। ପୂଜା ସମାପନ ପରେ ସମସ୍ତ ବାସିନ୍ଦାଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।
ଗଣେଶ ପୂଜାରେ କଲୋନୀର ସମସ୍ତ ବାସିନ୍ଦା ନିଜକୁ ସାମିଲ କରି ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା।
ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୧୮ ତାରିଖରେ ଗଣେଶ ମୂର୍ତ୍ତି ଭସାଣି ସହ ଶେଷ ହେବ। ଏହା ସହ ୧୬ ତାରିଖ ସନ୍ଧ୍ୟାରେ କଲୋନୀର ଛୋଟ ଛୋଟ ପିଲାମାନଙ୍କୁ ନେଇ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୧୭ ତାରିଖରେ ସମସ୍ତ ବାସିନ୍ଦାଙ୍କ ପାଇଁ ଭୋଜିର ମଧ୍ୟ ବ୍ୟବସ୍ଥା କରାଯାଇଛି।
ପ୍ରଥମଥର ଆୟୋଜିତ ଏହି ଗଣେଶ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ କଲୋନୀର ସମସ୍ତ ବାସିନ୍ଦାଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସୌହାର୍ଦ୍ଦ୍ୟର ଭାବନାକୁ ଆହୁରି ମଜବୁତ କରିବାର ଏକ ସୁନ୍ଦର ଅବସର ପାଲଟିଛି।