ରାମସାଗରରେ ଶହ ଶହ ମାଛ ମଡ଼କ, ଘଟଣାସ୍ଥଳରେ ବିଧାୟକ ରୂପେଶ ପାଣିଗ୍ରାହୀ

15


ଜଳ ବିଷାକ୍ତ ହୋଇଥିବା ସନ୍ଦେହ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର ରାମସାଗରରେ ରବିବାର ସକାଳୁ ଶହ ଶହ ମାଛ ମରି ପାଣିରେ ଭାସୁଥିବା ଦେଖାଯାଇଛି। ପ୍ରାୟ ୨ରୁ ୫ କିଲୋଗ୍ରାମ ଓଜନର ବିଭିନ୍ନ ପ୍ରଜାତିର ମାଛ ମୃତ ଅବସ୍ଥାରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
ଘଟଣା ସମ୍ପର୍କରେ ଜାଣିବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ମାଛ ମୃତ୍ୟୁର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ନେଇଥିଲେ।
ରାମସାଗରର ଜଳ ପ୍ରଦୂଷିତ କିମ୍ବା ବିଷାକ୍ତ ହୋଇଥିବା ସନ୍ଦେହ ଥିବାରୁ ମାଛ ମୃତ୍ୟୁର ପ୍ରକୃତ କାରଣ ଶୀଘ୍ର ଜଣାପଡ଼ିବା ଆବଶ୍ୟକ ବୋଲି ବିଧାୟକ ଗୁରୁତ୍ୱ ଦେଇଛନ୍ତି। ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଘଟଣାଟିକୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିବେ ବୋଲି କହିଛନ୍ତି।
ସାଗରରୁ ଧରାଯାଉଥିବା ମାଛ ସ୍ଥାନୀୟ ଲୋକେ ଖାଦ୍ୟ ଭାବେ ବ୍ୟବହାର କରୁଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଜଳରେ କୌଣସି ବିଷାକ୍ତ ପଦାର୍ଥ ମିଶିଛି କି ନାହିଁ, ତାହାର ତୁରନ୍ତ ପରୀକ୍ଷା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ମାଛ ମୃତ୍ୟୁର ପ୍ରକୃତ କାରଣ ଜଳ ପ୍ରଦୂଷଣ , ବିଷାକ୍ତ ପଦାର୍ଥ , ରାସାୟନିକ ପ୍ରତିକ୍ରିୟା ନା ଅନ୍ୟ କୌଣସି କାରଣ—ତଦନ୍ତ ଓ ଜଳ ପରୀକ୍ଷା ପରେ ହିଁ ସ୍ପଷ୍ଟ ହେବ।

Leave A Reply

Your email address will not be published.