ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ପକ୍ଷରୁ ଆଜି ତୃତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି , ଆର.ଉଦୟଗିରି ଓ ମୋହନା ସିଭିଲ କୋର୍ଟ ପରିସର ସମେତ କାଶୀନଗର ଗ୍ରାମ ନ୍ୟାୟାଳୟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।
ଲୋକ ଅଦାଲତରେ ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲା ସହିତ ବ୍ୟାଙ୍କ , ଟି ପି ଏସ ଓ ଡି ଏଲ୍ , ଆର ଟି ଓ , ଗଜପତି ଓ ଅନ୍ୟାନ୍ୟ ବିଭାଗ/ସଂସ୍ଥା ସମ୍ବନ୍ଧୀୟ ପ୍ରାକ୍-ମାମଲା (Pre-litigation) ମଧ୍ୟ ଆପୋଷ ସମାଧାନ ପାଇଁ ଗ୍ରହଣ କରାଯାଇଥିଲା।
ଏହି ଲୋକ ଅଦାଲତରେ ମୋଟ ୩୭୪୦ଟି ମାମଲା ଗ୍ରହଣ କରାଯାଇଥିବାବେଳେ ୨୭୮୨ଟି ମାମଲାର ଫଇସଲା କରାଯାଇଥିଲା। ବିଭିନ୍ନ ମାମଲାରେ ମୋଟ ୪୪,୩୪,୩୮୪ ଟଙ୍କାର ସମାଧାନ ରାଶି ଆଦାୟ / ନିଷ୍ପତ୍ତି କରାଯାଇଥିଲା।
ଜିଲ୍ଲା ଜଜ୍-ତଥା- ଡି ଏଲ ଏସ ଏ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଏହି ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ପରିବାର ଅଦାଲତର ବିଚାରପତି ଡଃ ଜୀବନଜ୍ୟୋତି ରଥ , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ହରପ୍ରସାଦ ପଟ୍ଟନାୟକ , ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀମତୀ ସ୍ୱପ୍ନାଶ୍ରୀ ନାୟକ , ସିଭିଲ ଜଜ୍ (ସିନିୟର ଡିଭିଜନ) ଶ୍ରୀ ସୁଦାମ ଦାଶ , ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରଣା , ମହିଳା ଅଦାଲତର ସିଭିଲ ଜଜ୍ (ସିନିୟର ଡିଭିଜନ) ଶ୍ରୀମତୀ ରଶ୍ମିତା ସାହୁ , ଜେ ଏମ୍ ଏସ୍ ସି ସୁଶ୍ରୀ ଅଭିପ୍ସା ମହାକୁଡ , ଆର.ଉଦୟଗିରିର ସିଭିଲ ଜଜ୍ (ସିନିୟର ଡିଭିଜନ) ସୁଶ୍ରୀ ସୌଦାମିନୀ ବିଶ୍ୱାଳ, ଜେ ଏମ୍ ଏଫ୍ ସି ଶ୍ରୀ ସୁବଙ୍କର ମହାନ୍ତି , ମୋହନା ଜେ ଏମ୍ ଏଫ୍ ସି ଶ୍ରୀ ବିକାଶ କିରଣ ମିଶ୍ର ଏବଂ କାଶୀନଗର ଗ୍ରାମ ନ୍ୟାୟାଧିକାରୀ ଶ୍ରୀ ସତ୍ୟଜିତ ପାଣି ନିଜ ନିଜ ଅଦାଲତରେ ଲୋକ ଅଦାଲତ ପରିଚାଳନା କରିଥିଲେ।
ଡି ଏଲ୍ ଏସ୍ ଏ , ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ସମନ୍ୱୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ୟାନେଲ ଓକିଲ , ପାରା-ଲିଗାଲ ଭଲ୍ୟୁଣ୍ଟିୟର , ବ୍ୟାଙ୍କ , ଟି ପି ଏସ ଓ ଡି ଏଲ୍ , ଆର ଟି ଓ ଏବଂ ବିଭିନ୍ନ ଅଂଶୀଦାର ସଂସ୍ଥାର ପ୍ରତିନିଧିମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଲୋକ ଅଦାଲତ ମାଧ୍ୟମରେ ମାମଲାଗୁଡ଼ିକର ଶୀଘ୍ର , ସୁଲଭ ଓ ଆପୋଷ ସମାଧାନ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସେବା ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇଛି।