- ଓଡ଼ଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟ ନିର୍ମାଣାଧିନ ନୂତନ କୋଠା
- ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି।
- ୫୧୦ ଦିନ ହେଲା ଚାଲିଛି ବାହାର ରଙ୍ଗ କାର୍ଯ୍ୟ
ଓଡ଼ଗାଁ ୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟ ନିର୍ମାଣାଧୀନ ନୂତନ କୋଠା ଅନେକ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ବର୍ତ୍ତମାନ ତାର ସ୍ଥାୟୀତ୍ବ ପ୍ରତି ସନ୍ଦେହ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ୪ ବର୍ଷ ପୂର୍ବେ ଯେଉଁ ଉଦ୍ଦେଶ୍ୟରେ ଉକ୍ତ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା ଏପର୍ଯ୍ୟନ୍ତ ତାହା କୌଣସି କାର୍ଯ୍ୟରେ ଆସିଲା ନାହିଁ। ବରଂ ୫୧୦ ଦିନ ପୂର୍ବେ କୋଠାର ବାହାର ରଙ୍ଗ ଏବଂ ସାନିଟାରୀ କାର୍ଯ୍ୟ ଚାଲିଛି ବୋଲି ନିର୍ମାଣକାରି ସଂସ୍ଥା ବିଭାଗୀୟ ଅଧିକାରୀଙ୍କ ନିକଟରେ ସୂଚନା ପ୍ରଦାନ କରିଥିଲେ। ତାପରେ ପ୍ରାୟ ୦୨ ବର୍ଷ ବିତିବାକୁ ବସିଲାଣି ହେଲେ ଏଯାବତ ବାହାର ରଙ୍ଗ ଲାଗିବା କାର୍ଯ୍ୟ ସରିଲା ନାହିଁ।କି ସାନିଟାରୀ କାର୍ଯ୍ୟ ହୋଇପାରିନାହିଁ। ସୂଚନା ଥାଉକି ଓଡ଼ଗାଁ ପ୍ରାଣୀ ଚିକିତ୍ସାଳୟ ପୂରୁଣା କୋଠା ଠାରୁ ସାମନା ରାସ୍ତାର ଉଚ୍ଚତା ପ୍ରାୟ ୧୨ ଫୁଟ ରହିଛି। ତେଣୁ ପୁରାଣ କୋଠା ପରିସରରେ ପାଣି ଜମେ। ନିଷ୍କାସନ ପାଇଁ ସୁବିଧା ନଥାଏ। ସରୀସୃପଙ୍କ ବାସସ୍ଥଳୀ ପାଲଟିଯାଏ।ପୁରୁଣା କୋଠା ଛାତରୁ ପାଣି ଗଳି ଔଷଧ, ନଥିପତ୍ର ଓ ଅନ୍ୟାନ୍ୟ ଜିନିଷ ଗୁଡିକ ନଷ୍ଟ ହୋଇଥାଏ।ଏହା ଏକ ଖାଲୁଆ ଜାଗା ହୋଇଥିବା ଭୂମି ସବୁବେଳେ ଆର୍ଦ୍ର ରହୁଥିବାରୁ ପରିସର ଜଙ୍ଗଲ ପରିପୂର୍ଣ୍ଣ ହୋଇଯାଏ।ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାୟ ୧୮ ପଞ୍ଚାୟତର ଗୋପାଳକ, ଛେଳିମେଣ୍ଢା ପାଳକ, କୁକୁଡ଼ା ଫାର୍ମ ଓ ଅନ୍ୟାନ୍ୟ ଗୃହ ପାଳିତ ପ୍ରାଣୀ ପାଳକମାନେ ନିର୍ଭର କରିଥାନ୍ତି। ହେଲେ ଭିତ୍ତିଭୂମି ଅଭାବରୁ ଏଠାରେ ଚିକିତ୍ସା କରିବାରେ ବାଧା ଉପୁଜେ। ହେଲେ ଗତ ୨୦୨୨ ମସିହାରେ ଓଡ଼ଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟର ଉନ୍ନତି ପାଇଁ ୭୭ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା। ଟେଣ୍ଡର ମାଧ୍ୟମରେ ଗୃହ ନିର୍ମାଣ କରିବା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ କାର୍ଯ୍ୟାଦେଶ ପାଇଥିଲେ।ଏକ ସରକାରୀ ସଂସ୍ଥା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବାରୁ ଆଶା ଥିଲା ଅଳ୍ପ ଦିନ ମଧ୍ୟରେ ଓଡ଼ଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ କାୟାକଳ୍ପ ବଦଳିବ କିନ୍ତୁ ତାହା ହେଲା ନାହିଁ। ଗତକାଲି ଏ ସଂକ୍ରାନ୍ତରେ ପ୍ରାଣୀ ବିଭାଗ ନିର୍ଦ୍ଦେଶକ ଏବଂ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଆଗକୁ କଣ ହେଉଛି ଦେଖିବାକୁ ବାକି ରହିଲା।