ରଘୁନାଥଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ,

8

ଓଡ଼ଗାଁ, ୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ଭାଦ୍ରବ ମାସ ଅମାବାସ୍ୟା ତିଥିରେ ‘ସପ୍ତପୁରୀ’ ତଥା ‘କୁଶ ଉତ୍ପାଟନ ଅମାବାସ୍ୟା’ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ ଅମାବାସ୍ୟାର ପୂଜା ଅର୍ଚ୍ଚନା କରାଯାଇଥିଲା। ସକାଳର ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ପରେ ମଧ୍ୟାହ୍ନରେ ପହୁଡ଼ ହୋଇଥିଲା। ପୁଣି ସନ୍ଧ୍ୟାରେ ସାନ୍ଧ୍ୟ ନୀତିକାନ୍ତି ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଖୋଲାଯାଇଥିଲା। ପାଳିଆ ପଣ୍ଡା ଶ୍ରୀଜୀଉମାନଙ୍କୁ ପୂଜାର୍ଚ୍ଚନା ଓ ଆଳତୀ ଲାଗି କରାଇଥିଲେ। ରୋଷଘର ଶୋଧନ ନୀତି ପରେ ପାଳିଆ ସୂପକାରଙ୍କ ଦ୍ୱାରା ସାତ ପ୍ରକାର ପୁରଦିଆ ଓ ଶହେ ବାଡ଼ କାକରା ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କ ନିକଟରେ ଲାଗି କରାଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଏହି ସ୍ୱତନ୍ତ୍ର ନୀତି ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଅବସରରେ ପୁରୀ ଶ୍ରୀ ନିଗମାନନ୍ଦ ସାରସ୍ୱତ ଆଶ୍ରମର ଅଧ୍ୟକ୍ଷ ଡ. ସ୍ୱାମୀ ଶଙ୍କରାନନ୍ଦ ନନ୍ଦ ସରସ୍ୱତୀ ମହାରାଜ ମନ୍ଦିର ବେଢ଼ାସ୍ଥିତ ମଣ୍ଡପରେ ଧର୍ମ, ଧର୍ମର ପ୍ରୟୋଜନୀୟତା, ମାନବ ଜୀବନର ସାର୍ଥକତା ଓ ଆଦର୍ଶ ଗୃହସ୍ଥ ଜୀବନ ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ। ତେବେ ଲଘୁଚାପଜନିତ ବର୍ଷା ଯୋଗୁଁ ଅନେକ ଶ୍ରଦ୍ଧାଳୁ ପ୍ରବଚନ ଶ୍ରବଣରୁ ବଞ୍ଚିତ ହୋଇଥିଲେ। ସତ୍‌ଶିକ୍ଷା ପ୍ରଚାର ସମିତି, ଶରଣକୁଳ ପକ୍ଷରୁ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥାପନା କରାଯାଇଥିଲା। ସେହିପରି ଓଡ଼ଗାଁସ୍ଥିତ ଶ୍ରୀ ରାଧାକାନ୍ତ ଜିଉ ମଠ, କୁରାଳସ୍ଥିତ ଶ୍ରୀ ଦଧିବାମନ ଜିଉଙ୍କ ସମେତ ବିଭିନ୍ନ ମନ୍ଦିରରେ ମଧ୍ୟ ପୂଜା, ନୈବେଦ୍ୟ, ଆଳତୀ ଓ ବନ୍ଦାପନା ଅନୁଷ୍ଠିତ ହୋଇଥିଲା। ସମସ୍ତ ନୀତିକାନ୍ତି ସମାପନ ପରେ ଦୈନନ୍ଦିନ ବଡ଼ସିଂହାର ନୀତି ସମ୍ପନ୍ନ ହୋଇ ଶ୍ରୀଜୀଉମାନଙ୍କ ପହୁଡ଼ ପଡ଼ିଥିଲା। ମନ୍ଦିର ପରିଚ୍ଛା, ପୁଜକ ସେବାୟତ ଏବଂ ସଭାପତିଙ୍କ ସହିତ ସୁଆର ସେବକ, ମନ୍ଦିର ସୁପରଭାଇଜର ଓ ଅନ୍ୟ ସମସ୍ତ ସେବାସୀ ମାନଙ୍କ ସହଯୋଗରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.