ପରୀକ୍ଷା ଫଳକୁ ନେଇ ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

50

କଲେଜ ଗେଟ୍‌ରେ ତାଲା, ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଯୁକ୍ତ ତିନି (+3) ସେମିଷ୍ଟାର ପରୀକ୍ଷା ଫଳାଫଳକୁ ନେଇ ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ! ଖାତା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ଆଣି ସାବିତ୍ରୀ ମହିଳା ମହାବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀ। ପୁନଃ ମୂଲ୍ୟାଙ୍କନ ଦାବିରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ।

​ଚଳିତ ବର୍ଷ ଯୁକ୍ତ ତିନି (+3) ସେମିଷ୍ଟାର ପରୀକ୍ଷା ଫଳାଫଳକୁ ନେଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେ.ଏସ୍.ୟୁ.ବି.) ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରୀକ୍ଷା ଖାତା ମୂଲ୍ୟାଙ୍କନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଛାତ୍ରଛାତ୍ରୀମାନେ ଏକାଠି ହୋଇ ଆନ୍ଦୋଳନ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

​ଖାତା ମୂଲ୍ୟାଙ୍କନରେ ତ୍ରୁଟି ହୋଇଥିବା ଅଭିଯୋଗ । ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଲେଖିଥିଲେ ମଧ୍ୟ ବହୁ ଛାତ୍ରଛାତ୍ରୀଙ୍କୁ ମାତ୍ର ୧, ୨ କିମ୍ବା ୦ (ଶୂନ୍) ନମ୍ବର ମିଳିଛି। ଫଳରେ ଅନେକ ବିଷୟରେ ‘ପେପର୍ ବ୍ୟାକ୍’ (Paper Back) ଲାଗିଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି।
ଏଥିରେ ଛାତ୍ରୀ ମାନେ କ୍ଷୋଭ ପ୍ରକାଶ ସ୍ଵରୁପ ଆନ୍ଦୋଳନ ଓ ଗେଟ୍‌ରେ ତାଲା ପକାଇ ଥିବା ଦେଖାଯାଇଛି।ବ୍ୟାକ୍ ପେପର୍ ପାଇଁ ଆଜିଠାରୁ ପୁନର୍ବାର ଫିସ୍ ଦେଇ ଫର୍ମ ଫିଲ୍-ଅପ୍ ଆରମ୍ଭ ହେଉଥିବାରୁ ଏହାକୁ ବିରୋଧ କରି ଛାତ୍ରୀମାନେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।
ଏବଂ ଏଥି ସହିତ ତୃଟି ଦର୍ଶାଯାଇଥିବା ​ଖାତାର ପୁନଃ ମୂଲ୍ୟାଙ୍କନ ଦାବି ହୋଇଥିବା ଦେଖାଦେଇଛି। ପରୀକ୍ଷା ଖାତାର ଉଚିତ୍ ପୁନଃ ମୂଲ୍ୟାଙ୍କନ (Re-evaluation) କରିବା ପାଇଁ ଅଧ୍ୟକ୍ଷଙ୍କ ଜରିଆରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।
କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ କଦମ ଉଠାଯିବ ବୋଲି ସ୍ଥାନୀୟ କଲେଜ୍ ଅଧ୍ୟକ୍ଷ ନିଜର ପ୍ରତିକ୍ରିୟା ବା ପ୍ରତିଶ୍ରୁତି ଦେଇଛନ୍ତି।
​ଗତ କିଛି ବର୍ଷ ହେବ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବାରମ୍ବାର ତ୍ରୁଟି ଦେଖାଯାଉଥିବାରୁ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.