କ୍ଲାସ୍‌ରୁମ୍‌ରେ ନିଶା ସେବନ ଅଭିଯୋଗ, ପ୍ରଧାନ ଶିକ୍ଷକ ନିଲମ୍ବିତ ।

12


କେନ୍ଦ୍ରାପଡା:10,09,26(ପ୍ରଫୁଲ୍ଲ କୁମାର ମଲ୍ଲ) ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ନିଶା ସେବନ କରିବା ଏବଂ ପରେ କବାଟ ବନ୍ଦ କରି ଶୋଇପଡ଼ିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଶିକ୍ଷା ବିଭାଗ ଅଧୀନ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି।ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ପ୍ରଧାନ ଶିକ୍ଷକ ସୁନାକର ନାୟକ ନିଜ ଶ୍ରେଣୀଗୃହରେ ଥିବା ସମୟରେ ନିଶା ସେବନ କରିଥିଲେ। ପରେ ସେ ଅସ୍ୱାଭାବିକ ଅବସ୍ଥାରେ ଶ୍ରେଣୀଗୃହର କବାଟ ଭିତରପଟୁ ବନ୍ଦ କରି ଶୋଇପଡ଼ିଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ବିତିବା ସହ ଛୁଟି ସମୟ ହୋଇଥିଲେ ମଧ୍ୟ କବାଟ ନ ଖୋଲିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଥିଲା। ପ୍ରଧାନ ଶିକ୍ଷକଙ୍କ ଏଭଳି ଅବସ୍ଥାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ଲୋକେ ବିଦ୍ୟାଳୟରେ ପହଞ୍ଚି ଶିକ୍ଷା ବିଭାଗକୁ ସୂଚନା ଦେଇଥିଲେ।ସୂଚନା ପାଇ ଡେରାବିଶ ବ୍ଲକ୍‌ ଶିକ୍ଷାଧିକାରୀ ମଦନ ମୋହନ କର ଏବଂ ଏବିଓ ଦେବଦତ୍ତ ଶତପଥୀ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପରେ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଘଟଣାକୁ ଗୁରୁତ୍ୱ ଦେଇ ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ କରାଯାଇଛି।ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ପବିତ୍ର ସ୍ଥାନ। ଏଭଳି ଏକ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନିଶା ସେବନ ଭଳି ଅଭିଯୋଗ ଆସିବା ଶିକ୍ଷକଙ୍କ ଆଚରଣ ଓ ବିଦ୍ୟାଳୟର ଶୃଙ୍ଖଳାକୁ ନେଇ ଗୁରୁତର ପ୍ରଶ୍ନ ଠିଆ କରିଛି।

Leave A Reply

Your email address will not be published.