ଗୁରୁ ଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଉତ୍କଳ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ
ରାୟଗଡା: ଗୁରୁ ହେଉଛନ୍ତି ସମାଜର ପଥପ୍ରଦର୍ଶକ। ଜ୍ଞାନର ଆଲୋକ ବାଣ୍ଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ। ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତି ସମ୍ମାନ ଜଣାଇ ଆଜି ପାଳିତ ହୋଇଛି ପବିତ୍ର ଗୁରୁ ଦିବସ। କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ପାଇକ ସମାଜ ଗୋଷ୍ଠୀ ଗୃହରେ ଉତ୍କଳ ମିଡିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଗୁରୁ ଦିବସ ଅବସରରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ଆଲୁମିନାର ସିଏସଆର ମୂଖ୍ୟ ତନ୍ମୟ ମହାନ୍ତି, ଦିଗନ୍ତ ମହାନ୍ତି, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାଥ ପଟ୍ଟନାୟକ ବକ୍ତା ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବିଶିଷ୍ଟ ଶିକ୍ଷାବିତ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଗୁରୁ ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ସଂଘ ସଭାପତି ଦୟାନନ୍ଦ ଖାଡଙ୍ଗା କହିଥିଲେ ଯେ, ସାମ୍ବାଦିକତା ସହିତ ସଂଘ ପକ୍ଷରୁ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନିୟମିତ ଭାବେ ହାତକୁ ନିଆଯାଉଛି। ଗୁରୁମାନଙ୍କୁ ସମ୍ମାନ ଦେବା ମଧ୍ୟ ସମାଜ ପ୍ରତି ଏକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ।
ସମାରୋହରେ ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅବସର ଜୀବନ ସୁଖ, ଶାନ୍ତି ଓ ସୁସ୍ଥତାରେ କଟୁ ବୋଲି ଉପସ୍ଥିତ ସମସ୍ତେ ଶୁଭକାମନା ଜଣାଯାଇଥିଲା।
ସେହିପରି ସ୍ୱର୍ଗତ ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ନାଏକ ସ୍ମାରକ ଟ୍ରଷ୍ଟ ପକ୍ଷରୁ ମଧ୍ୟ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ଗୁରୁମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରାଯାଇଥିଲା।
ଏହି ଅବସରରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ପରିଡ଼ା, ମାଗୁଣି ସାହୁ, ବନମାଳୀ ନାଏକ, ହରିଶ୍ଚନ୍ଦ୍ର ନାଏକ, ପଦ୍ମନାଭ ମହାନ୍ତି, ତ୍ରିନାଥ ପ୍ରଧାନୀ, ମୋହନ ଦଣ୍ଡସେନା, ଅନନ୍ତ ଷଡ଼ଙ୍ଗୀ, ପ୍ରସନ୍ନ କୁମାର ବେହେରା, ସରୋଜିନୀ ନନ୍ଦ ଓ ଅଭିନୀ କୁମାରୀ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ସଭ୍ୟ ମହେନ୍ଦ୍ର କୁମାର ସ୍ୱାଇଁ, ରତ୍ନାକର ନାଏକ ଓ ଗିରିଶେଖର ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଘର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।