କେନ୍ଦୁଝର: କଳା, ସଂସ୍କୃତି ଓ ସାହିତ୍ୟର ମହାକୁମ୍ଭ ସପ୍ତଦଶ କେନ୍ଦୁଝର କଳା ଉତ୍ସବ ୨୦୨୬ ଶନିବାର ଆରମ୍ଭ ହୋଇଛି। ସାଂସ୍କୃତିକୀ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଝୋଟି ପ୍ରତିଯୋଗିତା ସହ ସଙ୍ଗୀତ ଆସର ଓ କଳା କର୍ମଶାଳା ଆୟୋଜିତ ହୋଇଛି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ନିଜର କଳାପ୍ରତିଭା ପ୍ରଦର୍ଶନ କରିଛନ୍ତି ।
ଉତ୍ସବର ଉଦ୍ଘାଟନୀ ସମାରୋହରେ ଅତିଥିମାନଙ୍କ ମିଳିତ ଦୀପ ପ୍ରଜ୍ୱଳନ ପରେ କେନ୍ଦୁଝରର କଳା, ସଂସ୍କୃତି ଓ ସାହିତ୍ୟର ସମୃଦ୍ଧି ଦିଗରେ ସାଂସ୍କୃତିକୀର ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏଥିସହ ଜିଲ୍ଲାର କଳା ଓ ସାଂସ୍କୃତିକ ପରମ୍ପରାର ପ୍ରଚାରପ୍ରସାର ପାଇଁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଉଦ୍ଘାଟନୀ ସମାରୋହରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାଏକ, ପିଏମ୍ ଶ୍ରୀ ଡି.ଏନ୍. ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ପ୍ରବୀର କୁମାର ମହାନ୍ତି, ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶ୍ରୀ ଅଜୟ କୁମାର ନାୟକ, ଶ୍ରୀ ସୂର୍ଯ୍ୟମାଧବ ପାଣିଗ୍ରାହୀ, ଶ୍ରୀ ପ୍ରବୀର କୁମାର ଦେଓ, ସମାଜସେବୀ ଡ. ରୀନା ରାଉତରାୟ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ତରୁଣ କୁମାର ଓଝା ଓ ଅବସରପ୍ରାପ୍ତ ଅଧ୍ୟାପିକା ଡ. ମିନତି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

ଉତ୍ସବର ଉଦ୍ଯାପନୀ ଦିବସରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବା ସହ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପ୍ରତିଭାଧରମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ଜିଲ୍ଲାର କଳାକାରମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ମଞ୍ଚ ଯୋଗାଇବା ସହ କେନ୍ଦୁଝରର କଳା ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି ସାଂସ୍କୃତିକୀର ସମ୍ପାଦକ ଶ୍ରୀ ଶ୍ୟାମହରି ଚକ୍ର ସୂଚନା ଦେଇଛନ୍ତି ।