ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ଗାଁ ବିକାଶ ପରିଷଦର ସ୍ମାରକପତ୍ର,
ଓଡ଼ଗାଁ,୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରମୁଖ ଧାର୍ମିକ ଓ ଐତିହାସିକ ପୀଠ ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରର ସାମଗ୍ରିକ ବିକାଶ, ଉନ୍ନୟନ, ସୌନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ମଞ୍ଜୁର କରିବାକୁ ଦାବି ହୋଇଛି। ଏନେଇ ଓଡ଼ଗାଁ ବିକାଶ ପରିଷଦ ସଭାପତି ଶୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ମନ୍ଦିରର ଚତୁଃପାର୍ଶ୍ୱରେ ପରିକ୍ରମା ପଥ ନିର୍ମାଣ, ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ଓ ପ୍ରଭାବିତ ପରିବାରଙ୍କୁ ଥଇଥାନ, ଜରାଜୀର୍ଣ୍ଣ ରୋଷଘରର ପୁନଃନିର୍ମାଣ, ଶ୍ରୀରାମ ବିହାରର ପୁନର୍ବିନ୍ୟାସ ଏବଂ ଏକ ସ୍ଥାୟୀ ସଭାଗୃହ ଓ ଯଜ୍ଞମଣ୍ଡପ ନିର୍ମାଣ ପାଇଁ ଦାବି କରାଯାଇଛି। ସେହିପରି ଯାତ୍ରୀଙ୍କ ପାଇଁ ରହଣିଗୃହ, ଶୌଚାଳୟ ଓ ଯାନବାହନ ପାର୍କିଂ ବ୍ୟବସ୍ଥା, ବହୁ ପୁରାତନ ବୈଦେହୀଶ ପାଠାଗାରର ଆଧୁନିକୀକରଣ, ମନ୍ଦିର ସହ ସଂପୃକ୍ତ ଝୁଲଣ ମଣ୍ଡପ, ଦୋଳବେଦୀ, ବିଜୟାଦଶମୀ ମଣ୍ଡପ ଓ ଅନ୍ୟାନ୍ୟ ପାରମ୍ପରିକ ସ୍ଥଳର ସଂରକ୍ଷଣ ପାଇଁ ମଧ୍ୟ ଅନୁଦାନ ଦାବି ହୋଇଛି। ରାମସାଗର ପୋଖରୀର ସୌନ୍ଦର୍ଯ୍ୟକରଣ, ଆଡ଼ିବନ୍ଧର ମରାମତି, ଶିଶୁ ଉଦ୍ୟାନ ଓ ପାର୍କ ନିର୍ମାଣ, ପ୍ରାଚୀନ ମୂର୍ତ୍ତି ଓ ଐତିହାସିକ ସାମଗ୍ରୀର ସଂରକ୍ଷଣ ପାଇଁ ସଂଗ୍ରହାଳୟ ପ୍ରତିଷ୍ଠା, ସେବାୟତଙ୍କ ନୂତନ ପିଢ଼ିକୁ ପାରମ୍ପରିକ ନୀତିକାନ୍ତି ଓ ବିଧିବିଧାନ ସମ୍ପର୍କରେ ତାଲିମ ଦେବା ଭଳି ପ୍ରସ୍ତାବ ମଧ୍ୟ ରହିଛି। ଏଥିସହ ପାଇକସାହିସ୍ଥିତ ଶ୍ରୀ ଶ୍ରୀ ଭାଗବତ ଗୋସାଇଁ ମଠର ବିକାଶ ଏବଂ କୁମ୍ଭିଆପଲ୍ଲୀ ନିକଟ ଗୟଳସିଂହ ପାହାଡ଼ ପାର୍ଶ୍ୱରେ ଥିବା ଅତ୍ରିମୁନିଙ୍କ ଆଶ୍ରମ(ଶାମୁକା)କୁ ଉତ୍ତମ ରାସ୍ତା ନିର୍ମାଣ ସହ ଏହାର ଐତିହ୍ୟର ବିକାଶ କରିବାକୁ ଦାବି କରାଯାଇଛି।
ପ୍ରାଚୀନ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱ
ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଓଡ଼ିଶାର ଏକ ପ୍ରାଚୀନ ବୈଷ୍ଣବ ପୀଠ ଭାବେ ପରିଚିତ। ଏଠାରେ ଶ୍ରୀରାମ ନବମୀ, ଚନ୍ଦନଯାତ୍ରା, ସୀତା ନବମୀ, ଝୁଲଣଯାତ୍ରା, ଦୋଳଯାତ୍ରା, ବିଜୟାଦଶମୀ, ରାସପୂର୍ଣ୍ଣିମା ସମେତ ବିଭିନ୍ନ ପର୍ବପର୍ବାଣୀ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଆସୁଛି। ଦୂରଦୂରାନ୍ତରୁ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଏହି ପୀଠର ସାମଗ୍ରିକ ବିକାଶ ହେଲେ ଧାର୍ମିକ ପର୍ଯ୍ୟଟନ ସହ ଅଞ୍ଚଳର ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ଦାବିଦାରମାନେ କହିଛନ୍ତି। ମନ୍ଦିରର ପ୍ରାଚୀନ ଐତିହ୍ୟ ଓ ଧାର୍ମିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପ୍ରସ୍ତାବଗୁଡ଼ିକୁ ସହୃଦୟତାର ସହ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଓଡ଼ଗାଁବାସୀ ଅନୁରୋଧ କରିଛନ୍ତି।