ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ
ଲୁଟିବାରେ ଲାଗିଛି: ବିଜେଡି

25

ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ

  • ଓଡ଼ିଶାବାସୀଙ୍କ ହକ୍ ଛଡାଇ ନେଉଛି ଡବଲ ଇଞ୍ଜିନ ସରକାର
  • ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ?


ଭୁବନେଶ୍ୱର, ୨୬/୦୮/୨୦୨୬: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ ପରି କାମ କରୁଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆକ୍ଟ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବକେୟା ଟିକସ ହରାଇବ ଓଡ଼ିଶା । ଏହି ଆକ୍ଟ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି । କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକ ମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକୁ ଅନୁପାଳନ କରୁଛନ୍ତି । ପଡ଼ୋଶୀ ଝାଡ଼ଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡ଼ିର ଲଢେଇ ଜାରି ରହିବ ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ବାର ଲୁଟିବାରେ ଲାଗିଛି । ବିଜେପିର ୨୦ ଲୋକସଭା ଓ ୫ ଜଣ ରାଜ୍ୟସଭା ସାଂସଦ ଏହି ବିଲ୍ ପାରିତ ବେଳେ ପାଟି ଖୋଲିଲେ ନାହିଁ । କୌଣସି କ୍ଷେତ୍ରରେ ଶ୍ରେୟ ନେବାକୁ ହେଲେ ବିଜେପି ସରକାର ଆଗକୁ ଆସୁଥିବା ବେଳେ ଉକ୍ତ କଳା ଆଇନ ବାବଦରେ ଚୁପ ବସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇଛି, କିନ୍ତୁ ବିଜେପି ତାହାକୁ ନଷ୍ଟ କରିବାରେ ଲାଗିଛି । ଏହି କଳା ଆଇନ ଯୋଗୁଁ ରାଜ୍ୟର ଏତେ ବଡ କ୍ଷତି ହେଉଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ? ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଥିଲେ । ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ । କିନ୍ତୁ କେନ୍ଦ୍ର ସରକାର ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ବଳରେ ରାଜ୍ୟ ହକକୁ ଛଡ଼ାଇ ନେଇଛନ୍ତି । କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲ୍କୁ ପାରିତ କରାଇଛନ୍ତି । ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏମଏମଡିଆର ଆମେଣ୍ଡେମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିନେବାକୁ ବସିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ ସାଜିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢ଼େଇ ଆଗକୁ ଆହୁରି ତୀବ୍ରତର ହେବ ।

Leave A Reply

Your email address will not be published.