ଛଅ ମାସରେ ୨୪ ବିବାହିତା ନିଖୋଜ ଅଭିଯୋଗ;

49


ଓଡ଼ଗାଁ ଥାନା ଅଞ୍ଚଳରେ ପରିବାରିକ ସମ୍ପର୍କକୁ ନେଇ ବଢ଼ୁଛି ଚିନ୍ତା,


ଓଡ଼ଗାଁ, ୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ଚଳିତ ବର୍ଷ ଜାନୁଆରୀ ରୁ ଜୁଲାଇ ମାସ ୩୧ ତାରିଖ ମଧ୍ୟରେ ୨୪ ଜଣ ବିବାହିତା ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଖୋଜି ପାଇବାରେ ସଫଳତା ମିଳିଛି। ତେବେ ଅନ୍ୟ କେତେକ ମହିଳା ନିଜେ ଘରକୁ ଫେରିଥିଲେ ମଧ୍ୟ ଏ ସମ୍ପର୍କରେ ଅଭିଯୋଗକାରୀ ମାନେ ଥାନାକୁ ସୂଚନା ଦେଇନଥିବା ଜଣାପଡ଼ିଛି। ଏହି ଘଟଣାଗୁଡ଼ିକ ପରିବାରିକ ସମ୍ପର୍କ, ଦାମ୍ପତ୍ୟ ଜୀବନ ଓ ସାମାଜିକ ମୂଲ୍ୟବୋଧକୁ ନେଇ ଚିନ୍ତା ବଢ଼ାଇଛି। ଦାମ୍ପତ୍ୟ ସମ୍ପର୍କରେ ଅବିଶ୍ୱାସ, ପରିବାରିକ କଳହ, ପରସ୍ପର ବୁଝାମଣାର ଅଭାବ ଏବଂ ସାମାଜିକ ପରିବର୍ତ୍ତନ ଭଳି ବିଭିନ୍ନ କାରଣ ଏଭଳି ଘଟଣା ପଛରେ ଥାଇପାରେ। ତେବେ ପ୍ରତ୍ୟେକ ନିଖୋଜ ଘଟଣାର କାରଣ ଭିନ୍ନ ହୋଇଥିବାରୁ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ଏକ କାରଣକୁ ଦାୟୀ କରିବା ଉଚିତ ନୁହେଁ।ବର୍ତ୍ତମାନର ପରିବର୍ତ୍ତିତ ସାମାଜିକ ପରିସ୍ଥିତି ଓ ପାରିବାରିକ ସମ୍ପର୍କ ଓ ଦାମ୍ପତ୍ୟ ଜୀବନକୁ ନେଇ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି। ପରସ୍ପର ମଧ୍ୟରେ ବିଶ୍ୱାସ, ସମ୍ମାନ, ସଂଳାପ ଓ ଦାୟିତ୍ୱବୋଧର ଅଭାବ ଦେଖାଦେଲେ ତାହାର ପ୍ରଭାବ କେବଳ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ନୁହେଁ, ସନ୍ତାନ ଓ ସମଗ୍ର ପରିବାର ଓ ସମାଜ ଉପରେ ପଡ଼ିଥାଏ। ବିଶେଷକରି ଦାମ୍ପତ୍ୟ ବିଚ୍ଛେଦ ବା ପରିବାର ଭାଙ୍ଗିବାର ପ୍ରଭାବ ସନ୍ତାନମାନଙ୍କ ମାନସିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଥାଏ। ତେଣୁ ଏଭଳି ଘଟଣାକୁ କେବଳ ନୈତିକତାର ପ୍ରଶ୍ନ ଭାବେ ନଦେଖି, ଏହା ପଛରେ ଥିବା ପରିବାରିକ, ମାନସିକ ଓ ସାମାଜିକ କାରଣଗୁଡ଼ିକୁ ଗୁରୁତ୍ୱର ସହ ବିଶ୍ଳେଷଣ କରିବା ଆବଶ୍ୟକ। ପାରମ୍ପରିକ ଭାରତୀୟ ସମାଜରେ ବିବାହକୁ ଏକ ଦୀର୍ଘସ୍ଥାୟୀ ପରିବାରିକ ବନ୍ଧନ ଭାବେ ଦେଖାଯାଇଥାଏ। ସେହି ପରମ୍ପରାରେ ପରସ୍ପର ପ୍ରତି ବିଶ୍ୱାସ, ସହଯୋଗ ଓ ପରିବାର ପ୍ରତି ଦାୟିତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଧୁନିକ ଜୀବନଶୈଳୀର ପରିବର୍ତ୍ତନ ସହ ଏହି ମୂଲ୍ୟବୋଧଗୁଡ଼ିକୁ କିପରି ସୁସ୍ଥ ଭାବେ ବଜାୟ ରଖାଯାଇପାରିବ । ସେନେଇ ସାମାଜିକ ସଚେତନତା ଆବଶ୍ୟକ। ଓଡ଼ଗାଁ ଅଞ୍ଚଳରେ ଏତେ ସଂଖ୍ୟକ ନିଖୋଜ ଅଭିଯୋଗ ସାମ୍ନାକୁ ଆସିବା ପରେ ପ୍ରତ୍ୟେକ ଘଟଣାର ନିରପେକ୍ଷ ତଦନ୍ତ ସହିତ ପରିବାର ଗୁଡ଼ିକର ସମସ୍ୟାର ମୂଳ କାରଣ ଚିହ୍ନଟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

Leave A Reply

Your email address will not be published.