ଓଡ଼ଗାଁ ଏନ୍ଏସି କୁମ୍ଭିଆପଲ୍ଲୀରେ ହାତୀପଲ

46

;
କୁମ୍ଭିଆପଲ୍ଲୀ ଜଙ୍ଗଲରେ ଡେରା, ବନବିଭାଗର ନଜର; ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ


ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଓଡ଼ଗାଁ ଏନ୍ଏସିର କୁମ୍ଭିଆପଲ୍ଲୀ ଗ୍ରାମ ପଛପାଖ ଘଞ୍ଚ ଜଙ୍ଗଲରେ ଶନିବାର ସନ୍ଧ୍ୟାରେ ଏକ ହାତୀପଲର ଉପସ୍ଥିତି ଜଣାପଡ଼ିଛି। ଗତ ଶୁକ୍ରବାର ସନ୍ଧ୍ୟାରେ କଦଳୀବନ୍ଧ ଗ୍ରାମ ନିକଟ ଗୟଳସିଂ ମୁଣ୍ଡିଆ ଓ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ପ୍ରାୟ ୧୫ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା।
ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକଙ୍କ ନେତୃତ୍ୱରେ ବନପାଳ ସରିତା ବରାଳ, ସ୍କ୍ୱାର୍ଡ ଟିମ୍‌ ଓ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ। ପାହାନ୍ତିଆ ପ୍ରହରରେ ହାତୀପଲ ମୁଣ୍ଡିଆ ତଳଧାର ଦେଇ କୁମ୍ଭିଆପଲ୍ଲୀ ଗ୍ରାମ ପଛପାଖ ଅଞ୍ଚଳରେ ପହଞ୍ଚି ଦିନବେଳେ ବିଶ୍ରାମ ନେଇଥିଲେ । ନିକଟସ୍ଥ ଅଞ୍ଚଳରେ ମକା, କଦଳୀ, ଧାନ ଆଦି ଫସଲ ଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଏହି ଅଞ୍ଚଳରେ ରହିଥିବା ଅନୁମାନ କରାଯାଉଛି। ସେମାନଙ୍କ ଗତିବିଧି ସନ୍ଧ୍ୟା ପ୍ରହର ପରେ ଜଣାପଡିଥିବା ବେଳେ ବିଳମ୍ବିତ ରାତିରେ କଦଳୀବନ୍ଧ ନିକଟ ଗୟଳସିଂ ମୁଣ୍ଡିଆ ପାଦଦେଶକୁ ଫେରିବାର ଆଶଙ୍କା ରହିଛି। ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖାଯାଇଛି। ହାତୀଙ୍କୁ ବିଚଳିତ ନକରି ସୁରକ୍ଷିତ ସ୍ଥାନରେ ରହିବାକୁ ବନବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ଆବଶ୍ୟକତା ଅନୁଯାୟୀ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ କରାଯାଇପାରେ। ସମଗ୍ର ପରିଚାଳନାରେ ଜନସାଧାରଣ ବନବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.