ପ୍ରେମିକ ସହ ଗଲେ ମହିଳା, ୭ ବର୍ଷର ଝିଅର ଭବିଷ୍ୟତକୁ ନେଇ ଚିନ୍ତା

10


ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ଆରଡ଼ା ଗ୍ରାମର ଜଣେ ବିବାହିତ ମହିଳା ସ୍ୱାମୀ ଓ ୭ ବର୍ଷର ଝିଅକୁ ଛାଡ଼ି ଜଣେ ଯୁବକଙ୍କ ସହ ଚାଲିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳାଙ୍କ ସ୍ୱାମୀ ଶାନ୍ତନୁ କୁମାର ଦୋରା (୩୨)ଙ୍କ ଅଭିଯୋଗକ୍ରମେ ଓଡ଼ଗାଁ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଥିଲେ। ସୂଚନା ଅନୁସାରେ, ମହିଳା ଜଣକ ମୋବାଇଲରେ ଜଣେ ଯୁବକଙ୍କ ସହ ନିୟମିତ କଥାବାର୍ତ୍ତା ହେଉଥିବାକୁ ନେଇ ସ୍ୱାମୀଙ୍କ ସହ ମତଭେଦ ହେଉଥିଲା। ଗତ ୭ ତାରିଖରେ ଓଡ଼ଗାଁ ଯିବାକୁ କହି ଘରୁ ବାହାରିବା ପରେ ସେ ଆଉ ଘରକୁ ଫେରିନଥିଲେ। ଏନେଇ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ।
ପରେ ମଙ୍ଗଳବାର ମହିଳା ଜଣକ ସମ୍ପୃକ୍ତ ଯୁବକଙ୍କ ସହ ଓଡ଼ଗାଁ ଥାନାରେ ପହଞ୍ଚିଥିଲେ। ଏହାପରେ ଉଭୟ ପକ୍ଷର ପରିବାର ଲୋକେ ମଧ୍ୟ ଥାନାରେ ପହଞ୍ଚିଥିଲେ। ମହିଳା ଆଉ ସ୍ୱାମୀଙ୍କ ନିକଟକୁ ଫେରିବେ ନାହିଁ ବୋଲି ଜଣାଇଥିବା ବେଳେ, ଆଇନଗତ ଭାବେ ବିବାହ ବିଚ୍ଛେଦ ପାଇଁ ପରିବାର ଅଦାଲତର ଆଶ୍ରୟ ନେବାକୁ ସମ୍ମତି ହୋଇଥିବା ସୂଚନା ମିଳିଛି। ତେବେ ଏହି ପାରିବାରିକ ବିବାଦ ମଧ୍ୟରେ ୭ ବର୍ଷର ଶିଶୁକନ୍ୟାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ବିବାହ ବିଚ୍ଛେଦ ପରେ ଶିଶୁଟି କାହା ପାଖରେ ରହିବ ଏବଂ ତା’ର ଲାଳନପାଳନ ଓ ଭବିଷ୍ୟତ ନେଇ କି ବ୍ୟବସ୍ଥା ହେବ—ଏହାକୁ ନେଇ ଉଭୟ ପକ୍ଷକୁ ସମାଧାନର ପଥ ଖୋଜିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ଆଇନଗତ ପଦକ୍ଷେପ ସହ ଶିଶୁର ହିତକୁ ସର୍ବାଧିକ ପ୍ରାଥମିକତା ଦେବା ଏହି ଘଟଣାର ମୁଖ୍ୟ ଆହ୍ୱାନ ହୋଇଛି।

Leave A Reply

Your email address will not be published.