ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ବର-ଓସ୍ତ ବିବାହ ବାର୍ଷିକ ଉତ୍ସବ,

9


ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତଯଜ୍ଞରେ ପୂର୍ଣ୍ଣାହୁତି


ଓଡ଼ଗାଁ, ୧୮‌।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ବର-ଓସ୍ତ ବିବାହର ବାର୍ଷିକ ଉତ୍ସବ ସୋମବାର ବୈଦିକ ରୀତିନୀତି ଅନୁସାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବର ଓ ଓସ୍ତ ବୃକ୍ଷକୁ ବସ୍ତ୍ର ପରିଧାନ କରାଇବା ସହ ଆମ୍ବପତ୍ର ଓ ଫୁଲରେ ସୁସଜ୍ଜିତ କରାଯାଇଥିଲା।ପଣ୍ଡିତ ଶାନ୍ତନୁ କୁମାର ଦାଶ ବୈଦିକ କର୍ମାନୁଷ୍ଠାନ ପରିଚାଳନା କରିଥିଲେ। ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ପ୍ରତିନିଧି ଭାବେ କର୍ତ୍ତା ଦାୟିତ୍ୱ ତୁଲାଇ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ଘୃତଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ପ୍ରକାଶ ଥାଉକି, ଠିକ୍ ଏକବର୍ଷ ପୂର୍ବେ ତହସିଲ କାର୍ଯ୍ୟାଳୟ ପରିସରରେ ବରବୃକ୍ଷଙ୍କୁ ଶିବ ଓ ଦୁବକୁ ଦୁର୍ଗାଙ୍କ ପ୍ରତୀକ ଭାବେ ଏବଂ ଓସ୍ତବୃକ୍ଷଙ୍କୁ ବିଷ୍ଣୁ ଓ ତୁଳସୀଙ୍କୁ ତାଙ୍କ ସହଧର୍ମିଣୀ ଭାବେ ଗ୍ରହଣ କରି ବୈଦିକ ରୀତିରେ ବିବାହ ଉତ୍ସବ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା।
ଭାରତରେ ବୃକ୍ଷକୁ ଦେବତାଙ୍କ ସ୍ୱରୂପ ଭାବେ ପୂଜା କରିବାର ପରମ୍ପରା ରହିଛି। ତେଣୁ ବୃକ୍ଷଲତା, ବନ ଓ ଉପବନର ସୁରକ୍ଷା ଓ ସଂରକ୍ଷଣ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ମାନବୀୟ ଦାୟିତ୍ୱ ଓ ଧେୟ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବିବାହ ବାର୍ଷିକ ଉତ୍ସବରେ ବିଡିଓ ପ୍ରୀତିବାଳା ରଣା, ଏନ୍‌ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଉପନିବନ୍ଧକ ସାର୍ଥକ ମିଶ୍ର, ଆଇଆଇସି ସତ୍ୟନାରାୟଣ ବାରିକ, ଏସ୍‌ଆଇ ଚକ୍ରଧର ସିଂ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ପବିତ୍ର ମୋହନ ସେଠୀଙ୍କ ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

Leave A Reply

Your email address will not be published.