ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ ।

11

ବନ୍ୟା ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ।

କେନ୍ଦ୍ରାପଡ଼ା:18,08(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ଆବଶ୍ୟକ ସେବା ଯୋଗାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଜିଲ୍ଲାର ୬ଟି ବ୍ଲକର ୬୬ଟି ଗ୍ରାମ ପଞ୍ଚାୟତ ଅଧୀନ ୧୫୧ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୨,୨୩,୫୧୯ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୧୮ଟି ଆଶ୍ରୟ କେନ୍ଦ୍ରରେ ସମୁଦାୟ ୩,୩୫୦ ଜଣଙ୍କୁ ରଖାଯାଇଛି। ଆଜି ୭ଟି ଆଶ୍ରୟ କେନ୍ଦ୍ରରେ ୧,୨୩୫ ଜଣ ରହିଛନ୍ତି। ବନ୍ୟା ପ୍ରଭାବିତଙ୍କ ପାଇଁ ସମୁଦାୟ ୧୨ଟି ମାଗଣା ରୋଷେଇ କେନ୍ଦ୍ର ଖୋଲା ଯାଇଥିବା ବେଳେ ଆଜି ୬ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ମାଗଣା ରୋଷେଇ ମାଧ୍ୟମରେ ୩,୩୦୦ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।ବନ୍ୟା ପ୍ରଭାବିତଙ୍କୁ ୨୦୫.୪୮ କ୍ୱିଣ୍ଟାଲ ଚୁଡ଼ା, ୧୬.୭ କ୍ୱିଣ୍ଟାଲ ଗୁଡ଼/ଚିନି ଏବଂ ଶିଶୁ ଖାଦ୍ୟ, ବିସ୍କୁଟ୍ ସମେତ ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଆଜି ୧୨୨ କ୍ୱିଣ୍ଟାଲ ଚାଉଳ ଓ ୧୫.୨ କ୍ୱିଣ୍ଟାଲ ଚୁଡ଼ା ସହିତ ଶିଶୁ ଖାଦ୍ୟ ଓ ବିସ୍କୁଟ୍ ବଣ୍ଟନ କରାଯାଇଛି।
ସ୍ୱାସ୍ଥ୍ୟସେବା ପାଇଁ ୧୬ଟି ମେଡିକାଲ ଟିମ୍ ଏବଂ ପଶୁ ସମ୍ପଦର ଚିକିତ୍ସା ଓ ଯତ୍ନ ପାଇଁ ୫ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି।
ପ୍ରାଥମିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁଁ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ହ୍ରାସ ପରେ ଫସଲ ଓ ଘରବାଡ଼ି କ୍ଷୟକ୍ଷତିର ବାସ୍ତବ ଆକଳନ କରାଯିବ। 
ବନ୍ୟାଜଳ ଯୋଗୁଁ ଜିଲ୍ଲାର ୧୧୨ଟି ରାସ୍ତା ଜଳମଗ୍ନ ହୋଇ ଯାତାୟାତ ବିଚ୍ଛିନ୍ନ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬ଟି SRC ପାୱାର ବୋଟ୍, ୧୧୭ଟି ଦେଶୀ ଡଙ୍ଗା ଏବଂ ୧୦ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି।
ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ଅଳଭା, ଗୋପାଳପୁର ଓ ଆଖୁଆପଦା ଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବାବେଳେ ମୁଣ୍ଡଳୀ ଠାରେ ୧,୬୦,୯୩୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତିର ନିରନ୍ତର ନିରୀକ୍ଷଣ କରାଯାଇ ଆବଶ୍ୟକତା ଅନୁଯାୟୀ ଉଦ୍ଧାର, ରିଲିଫ୍, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ଆବଶ୍ୟକ ସେବା ଯୋଗାଣ ଜାରି ରହିଛି।

Leave A Reply

Your email address will not be published.