ବୃକ୍ଷରୋପଣରେ ସାଂସଦ ଓ ବିଧାୟକଙ୍କ ଆହ୍ୱାନ: ପରିବାର ପିଛା ଗୋଟିଏ ଗଛ ଲଗାଇବାକୁ ପରାମର୍ଶ

10


ଝାରସୁଗୁଡ଼ା, ୧୬/୮: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାରଙ୍ଗଲୋଇ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ଡୁମେରଡ଼ିହି ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପୂର୍ବରୁ ସାଂସଦ ଓ ବିଧାୟକ ଗ୍ରାମର ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ। ପରେ ନୂତନ ବଜାର କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ସହ ସମଲେଇ ମନ୍ଦିର, ଷ୍ଟାଡିୟମ ଓ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ କରିଥିଲେ। ଏହାପରେ ଅତିଥିମାନେ ବୃକ୍ଷପୂଜନ କରି ଚାରାରୋପଣ କରିଥିଲେ।

ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତ ‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମକୁ ପ୍ରତିବର୍ଷ ସୁଚାରୁରୂପେ ପାଳନ କରାଯାଉଥିବାରୁ ଡୁମେରଡ଼ିହି ବନ ସଂରକ୍ଷଣ ସମିତିକୁ ପ୍ରଶଂସା କରିଥିଲେ।

ମୁଖ୍ୟବକ୍ତା ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, “ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ମଣିଷ ସମେତ ସମଗ୍ର ଜୀବଜଗତର ବଞ୍ଚିବା ଅସମ୍ଭବ।” ପ୍ରତ୍ୟେକ ପରିବାର ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଏଫ୍‌ଓ ଅଶୋକ ମାନୁ ଭଟ୍ଟା, ଲଇକେରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଯୋଗୀନ୍ଦ୍ର ନାୟକ ଓ ରୋଜାଲିନ ପଟେଲ, ସାରଙ୍ଗଲୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୀନକେତନ ସାହୁ, ସରପଞ୍ଚ ଲଳିତ କୁମାର ସେଠ, ଏବିଇଓ ଜନ୍ମଜୟ ନାୟକ, ପୂର୍ବତନ ଶିକ୍ଷକ ପାନୁ ଦରକା, ପତ୍ରାପାଲିର ଖଟୁ ନାୟକ, ଜେଠୁ ନାୟକ, ସଜନ ନାୟକ, ବାଞ୍ଛାନିଧି ସାହୁ, ମଧୁମଙ୍ଗଳ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ଡୁମେରଡ଼ିହି ବନ ସଂରକ୍ଷଣ ସମିତିର ସଂଯୋଜକ ଦିବ୍ୟ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିତାମ୍ବର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ।

Leave A Reply

Your email address will not be published.