ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ବିଧାୟକ ଅରୁଣ
ଓଡ଼ଗାଁ, ୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଛାତ୍ରଛାତ୍ରୀମାନେ ଅଧ୍ୟୟନ ସହ ନିଜ ମନରେ ଦେଶପ୍ରେମ ଓ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରିବା ଆବଶ୍ୟକ। ନିଜ ଦେଶକୁ ଭଲ ପାଇବା, ଦେଶର ନିୟମ ମାନିବା ସହ ଭାରତକୁ ଏକ ଶକ୍ତିଶାଳୀ, ସୁନ୍ଦର ଓ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ଯୁବପିଢ଼ି ପ୍ରମୁଖ ଭୂମିକା ନେବେ। ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ଆଗାମୀ ଦିନ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି।
ଓଡ଼ଗାଁ ମିନି ଷ୍ଟାଡିୟମରେ ଅନୁଷ୍ଠିତ ବ୍ଲକ ଓ ଏନ୍ଏସି ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ. ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁଙ୍କ ସମେତ ବ୍ଲକସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗଦେଇଥିଲେ। ଗତ ହାଇସ୍କୁଲ ପରୀକ୍ଷାରେ ଓଡ଼ଗାଁ ବ୍ଲକ ଟପ୍ପର ହୋଇଥିବା କୁରୁମବାଙ୍କତରାର ବିଷ୍ଣୁ ପ୍ରସାଦ ସାହୁଙ୍କୁ ‘ରାମକୃଷ୍ଣ ବିଦ୍ୟା ଗୌରବ ସମ୍ମାନ’ ପ୍ରମାଣପତ୍ର ସହ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ କ୍ଷେତ୍ର ଓ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପୁରସ୍କୃତ ହୋଇଥିଲେ। ଶିକ୍ଷକ ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଏହି ଅବସରରେ ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମା, ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଏବଂ ଏନ୍ଏସି କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଇଓ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜକିଶୋର ସାହୁ, ଓଡ଼ଗାଁ ଆଦର୍ଶ ଥାନାରେ ଆଇଆଇସି ସତ୍ୟନାରାୟଣ ବାରିକ, ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ଅଭିମନ୍ୟୁ ମଲ୍ଲିକ ଏବଂ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡା. ନିଲାଞ୍ଜନ ଦାସ ପତାକା ଉତ୍ତୋଳନ କରିଥିଲେ। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ, ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, କୁରାଳରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।
କୁରାଳ ରାଧାକୃଷ୍ଣ ଥିଏଟର, ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ, ପନ୍ତିଖାରୀ ପଞ୍ଚାୟତ, ରଙ୍ଗଣୀପାଟଣା ରାଧାକାନ୍ତ ଯୁବକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଉତ୍ସବ ପାଳନ କରାଯାଇଥିଲା। ରଘୁନାଥ ଆଥଲେଟିକ୍ ଆସୋସିଏସନ, ଗାୟତ୍ରୀ ବିଦ୍ୟାମନ୍ଦିର ଓଡ଼ଗାଁ, ଓଡ଼ଗାଁ ୟୁନିକ୍ କମ୍ପ୍ୟୁଟର, ଟାକ୍ସି ଷ୍ଟାଣ୍ଡ ଓ ରଘୁନାଥଜୀଉ ଡ୍ରାଇଭର ଆସୋସିଏସନରେ ଓଡ଼ଗାଁର ‘ଖେଳ ମଣିଷ’ ଭାବେ ପରିଚିତ ଦିବାକର ନାୟକ ପତାକା ଉତ୍ତୋଳନ କରିଥିଲେ।
ଓଡ଼ଗାଁ, କୋମଣ୍ଡ, କୁରାଳ, ନନ୍ଦିଘୋର ଓ ବାହାଡ଼ାଝୋଲା ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ଅବସରରେ ‘ହର ଘର ତ୍ରିରଙ୍ଗା’ ଓ ‘ଘର ଘର ତ୍ରିରଙ୍ଗା’ ଅଭିଯାନର ଚିତ୍ର ସବୁଠି ଦେଖିବାକୁ ମିଳିଥିଲା।