ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସର୍ବସାଧାରଣଙ୍କ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ପୋଲିସ ପକ୍ଷରୁ ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ନିଶାସକ୍ତ ଅବସ୍ଥାରେ ଉପଦ୍ରବ ସୃଷ୍ଟି କରିବା ବିରୋଧରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହି ଅଭିଯାନ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ୯ ଜଣ ବ୍ୟକ୍ତିଙ୍କୁ ପାରଳାଖେମୁଣ୍ଡି ଥାନାକୁ ଅଣାଯାଇ ଡାକ୍ତରୀ ପରୀକ୍ଷା କରାଯିବା ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ସେମାନଙ୍କ ବିରୋଧରେ BNS ଧାରା ୨୭୦/୩୫୫ ଅନୁଯାୟୀ ପୃଥକ P.R. ମାମଲା ଦେବେନ୍ଦ୍ର ମହାନ୍ତି (୪୧), ଆର୍. ପବନ କଲ୍ୟାଣ (୨୪), ଜି. ପବନ (୨୯), ରମେଶ ନାଗବଂଶ (୩୬), ପ୍ରିୟଦର୍ଶନ ଶବର (୪୨), ସନ୍ତୋଷ କୁମାର ଶବର (୪୧), ଠାକୁର ଫୁଲେଇ ପାତ୍ର (୨୮), ବିଜୟ ଗଣ୍ଟା (୨୮) ଏବଂ ଗଦାଧର ଓଝା (୩୭) ଙ୍କ ବିରୁଦ୍ଧରେ ପ୍ରସ୍ତୁତ କରି ଅଦାଲତରେ ଦାଖଲ କରାଯିବ।
ସର୍ବସାଧାରଣ ସ୍ଥାନରେ ମଦ୍ୟପାନ , ମଦ୍ୟପ ଅବସ୍ଥାରେ ଉପଦ୍ରବ ଏବଂ ଜନଶାନ୍ତି ଓ ସୁରକ୍ଷାରେ ବାଧା ସୃଷ୍ଟି କରୁଥିବା କାର୍ଯ୍ୟ ବିରୋଧରେ ଗଜପତି ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଜନସାଧାରଣ ଏଥିରେ ପୋଲିସକୁ ସହଯୋଗ କରିବା ସହ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କିମ୍ବା ଅନ୍ୟମାନଙ୍କୁ ଅସୁବିଧା ଓ ଉପଦ୍ରବ ସୃଷ୍ଟି କରିବାରୁ ବିରତ ରହିବାକୁ ଅନୁରୋଧ କରାଯାଉଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳିଥିବା ପ୍ରେସ ବିବୃତ୍ତିରେ ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.