କେନ୍ଦୁଝର,୧୨/୦୮:ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ (ଘରେ ଘରେ ତ୍ରିରଙ୍ଗା) ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା, ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଗଭୀର ସମ୍ମାନ ଓ ଆଦର ସୃଷ୍ଟି କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବର ବାର୍ତ୍ତାକୁ ଜିଲ୍ଲାର କୋଣ-ଅନୁକୋଣରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।ଏହି ଆଭିମୁଖ୍ୟକୁ ନେଇ ଆଜି ପୂର୍ବାହ୍ନ ୯:୩୦ ମିନିଟ୍ରେ କେନ୍ଦୁଝର ଷ୍ଟାଡିୟମ୍ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଜିଲ୍ଲାସ୍ତରୀୟ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସାଇକେଲ ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି— ଯୁବପିଢ଼ି ଓ ସାଧାରଣ ଜନତାଙ୍କୁ ଜାତୀୟତାବୋଧର ସୂତ୍ରରେ ବାନ୍ଧିବା, ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିବା ଏବଂ ଶାରୀରିକ ସୁସ୍ଥତା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ରାଲିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସରୋଜ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ, କନିଷ୍ଠ କ୍ରୀଡା ପ୍ରଶିକ୍ଷକ ଜିତେନ୍ଦ୍ର ମହାକୁଡ଼, ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଆସନ୍ତାକାଲି (ଅଗଷ୍ଟ ୧୩ ତାରିଖ) ପୂର୍ବାହ୍ନ ୯:୩୦ ମିନିଟ୍ରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ଏକ ବିଶାଳ ‘ତ୍ରିରଙ୍ଗା ପରେଡ୍’ ସହ ସାମୂହିକ ଜାତୀୟ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ରହିଛି।ଏହା ସହିତ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାନୁଷ୍ଠାନ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ନିର୍ଦ୍ଧାରିତ ତିଥିରେ ‘ବନ୍ଦେ ମାତରମ୍’ ର ସାମୂହିକ ଗାନ, ଅନଲାଇନ୍ କୁଇଜ୍ ଏବଂ “ଜାତୀୟ ପତାକା ବିକାଶ ଯାତ୍ରା” ଶୀର୍ଷକ ପ୍ରଦର୍ଶନୀ ଆୟୋଜନ କରାଯିବ। ସେହିପରି ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ସ୍ଥାନୀୟ ସାଇକେଲ ରାଲି ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯିବ।