୩ବର୍ଷ ବିତିଲା, ସରୁନି ଶ୍ରୀରାମ ବିହାର ନିର୍ମାଣ

35


ଅଧାରେ ଅଟକିଛି ରୋଷଘର ମରାମତି, ଆଲୋକ ଅଭାବରୁ ରୋଷେଇରେ ସମସ୍ୟା,


ଓଡ଼ଗାଁ, ୧୧ା୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଗୁପ୍ତ ଅଯୋଧ୍ୟାର ଅଧୀଶ୍ୱର ଶ୍ରୀ ରଘୁନାଥ ଜୀଉଙ୍କ ପୀଠର ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକୁ ଦୀର୍ଘ ୩ ବର୍ଷ ବିତିଥିଲେ ମଧ୍ୟ ଅନେକ କାମ ଏଯାଏଁ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ବିଶେଷକରି ଶ୍ରୀରାମ ବିହାର ନିର୍ମାଣ କାର୍ଯ୍ୟ ସରୁନଥିବା ବେଳେ ରୋଷଘର ମରାମତି କାର୍ଯ୍ୟ ମଧ୍ୟ ଅଧାରେ ଅଟକିଛି। ଏପରିକି ରୋଷଘରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ରୋଷେଇ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ପ୍ରକାଶ ଥାଉକି, ଶ୍ରୀ ରଘୁନାଥ ଜୀଉଙ୍କ ପୀଠର ପାରିପାର୍ଶ୍ବିକ ଉନ୍ନୟନ ପାଇଁ ପୂର୍ବତନ ବିଜେଡି ସରକାର ସମୟରେ ‘ଆମ ଗାଁ, ଆମ ବିକାଶ’ ଯୋଜନାରେ ୨ କୋଟି ୪୩ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ଏଥିରୁ ସିଭିଲ୍‌ ୱାର୍କ ପାଇଁ ୧ କୋଟି ୩୩ ଲକ୍ଷ ଏବଂ ବିଦ୍ୟୁତ୍‌ ଆଲୋକୀକରଣ, ସିସିଟିଭି ଓ ଜଳଯୋଗାଣ ଆଦି କାର୍ଯ୍ୟ ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା। ସିଭିଲ୍‌ ୱାର୍କ ପାଇଁ ଅନୁମୋଦିତ ୧ କୋଟି ୩୩ ଲକ୍ଷ ଟଙ୍କାରୁ ଇତିମଧ୍ୟରେ ୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ହୋଇସାରିଥିବା ବେଳେ ଆଉ ମାତ୍ର ୨୩ ଲକ୍ଷ ଟଙ୍କା ରହିଛି। ଏହି ଅର୍ଥରେ ଶ୍ରୀରାମ ବିହାର, ଭଣ୍ଡାର ଘରକୁ ଲାଗି ନିର୍ମାଣାଧୀନ ଭୋଗମଣ୍ଡପ ସମେତ ଅନ୍ୟାନ୍ୟ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ଓଡ଼ଗାଁ ସହକାରୀ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ବେହେରା କହିଛନ୍ତି। ଅନ୍ୟପକ୍ଷରେ, ୧ କୋଟି ୧୦ ଲକ୍ଷ ଟଙ୍କାର ବୈଦ୍ୟୁତିକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରୁ ନୂଆ ମାର୍କେଟ୍‌ କମ୍ପ୍ଲେକ୍ସର ବିଦ୍ୟୁତୀକରଣ କାର୍ଯ୍ୟ ସରିଛି। ସିଭିଲ୍‌ ୱାର୍କ ସମ୍ପୂର୍ଣ୍ଣ ହେବା ପରେ ଅବଶିଷ୍ଟ ବିଦ୍ୟୁତୀକରଣ ଓ ସିସିଟିଭି ସ୍ଥାପନ କାର୍ଯ୍ୟ କରାଯିବ ବୋଲି ପୂର୍ତ୍ତ ବିଭାଗର ବିଦ୍ୟୁତ୍‌ ଯନ୍ତ୍ରୀ କହିଛନ୍ତି। ନୟାଗଡ଼ ଜିଲ୍ଲା କିମ୍ବା ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ରଘୁନାଥ ଜୀଉଙ୍କ ପୀଠକୁ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଆଗମନ ହୋଇଥାଏ। ରାମାୟଣ କଥାବସ୍ତୁ ଆଧାରିତ ବିଭିନ୍ନ ଦୃଶ୍ୟକୁ ନେଇ ନିର୍ମିତ ଶ୍ରୀରାମ ବିହାର ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏହାକୁ ଅଧିକ ସରସ, ସୁନ୍ଦର ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଭଙ୍ଗାଯାଇଥିବାରୁ ମନ୍ଦିରର ଆୟ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ମଧ୍ୟ ଏହାର ସୁବିଧାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ୩ ବର୍ଷ ଧରି ଚାଲିଥିବା ଏହି ଉନ୍ନୟନ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ଏବଂ ଶ୍ରୀରାମ ବିହାର ପୁଣି କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ, ତାହାକୁ ନେଇ ଏବେ ଅପେକ୍ଷା ରହିଛି।

Leave A Reply

Your email address will not be published.