ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ ବାରମ୍ବାର ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧୀ – ଧର୍ମେନ୍ଦ୍ର ପ୍ରଧାନ

କଂଗ୍ରେସର ଦୋମୁହାଁ ନୀତି ଓ ଦେଶବିରୋଧୀ ଆଚରଣ ପ୍ରସଙ୍ଗ
• ଛାତ୍ର ଓ ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ମିଛ ପଦାରେ ପଡ଼ିଛି
• ସଂସଦ କାର୍ଯ୍ୟରେ ନିରନ୍ତର ବାଧା ସୃଷ୍ଟି କରି ଦେଶ ଓ ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଛି କଂଗ୍ରେସ
• ଗୃହମନ୍ତ୍ରୀଙ୍କ ଉପରେ କଂଗ୍ରେସର ନିରାଧାର ଅଭିଯୋଗ ରାଜନୈତିକ ହତାଶାର ସ୍ପଷ୍ଟ ପ୍ରମାଣ
• ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଚୁପ୍ ରହି ରାହୁଲ ଗାନ୍ଧୀ ନିଜର ଦୋମୁହାଁ ଚରିତ୍ର ପଦାରେ ପକାଇଛନ୍ତି
ନୂଆଦିଲ୍ଲୀ, ୧୧ ଅଗଷ୍ଟ, ୨୦୨୬ – କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ନେଇ କ୍ରମାଗତ ଭାବେ ମିଥ୍ୟା ଓ ଭ୍ରାନ୍ତିକର ତଥ୍ୟ ପ୍ରସାରଣ କରୁଛନ୍ତି ବୋଲି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ନିୟମିତ ଭାବେ ମିଛ କହିବା ଅଭ୍ୟାସରେ ପରିଣତ କରିଥିବା ଏହି ବିରୋଧୀ ଦଳ ନେତା ନା ସଂସଦକୁ ଆସିବାକୁ ଚାହୁଁଛନ୍ତି, ନା ସରକାରଙ୍କ ତରଫରୁ ତଥ୍ୟପୂର୍ଣ୍ଣ ଉତ୍ତର ଶୁଣିବାକୁ ଧୈର୍ଯ୍ୟ ରଖୁଛନ୍ତି। ମିଥ୍ୟା ପ୍ରଚାର କରି କେବଳ କୁମ୍ଭୀର କାନ୍ଦଣା କାନ୍ଦିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଛି। ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଉପରେ ବିନା କୌଣସି ଆଧାରରେ ମିଥ୍ୟା ଅଭିଯୋଗ ଆଣିବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଚରମ ରାଜନୈତିକ ହତାଶାର ପରିଚାୟକ । ସରକାର ସଂସଦରେ ପ୍ରତ୍ୟେକଟି ଜନହିତକର ବିଷୟ ଉପରେ ଚର୍ଚ୍ଚା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କିନ୍ତୁ କଂଗ୍ରେସ ଗଣତନ୍ତ୍ରର ପବିତ୍ର ମନ୍ଦିର ‘ସଂସଦ’ର କାର୍ଯ୍ୟକାରିତାକୁ ବାଧାପ୍ରାପ୍ତ କରି ଦେଶ ଓ ଯୁବବର୍ଗଙ୍କ ସ୍ୱାର୍ଥକୁ ବଳି ପକାଉଛି। କଂଗ୍ରେସ ପାଇଁ ଦେଶହିତ ନୁହେଁ, ବରଂ ନିଜର ସ୍ୱାର୍ଥ ସବୁବେଳେ ପ୍ରଥମ ପ୍ରାଥମିକତା । ଯେତେବେଳେ ଗୃହରେ ଗଠନମୂଳକ ଆଲୋଚନା ହୁଏ, ସେତେବେଳେ ସତ୍ୟ ଶୁଣିବାର ସାହସ ନଥିବାରୁ କଂଗ୍ରେସ ନେତାମାନେ ଗୃହ ବାହାରେ ହଙ୍ଗାମା କରନ୍ତି।
କଂଗ୍ରେସର ଗଣତନ୍ତ୍ର ‘ସିଲେକ୍ଟିଭ୍’ ବୋଲି କହି ଶ୍ରୀ ପ୍ରଧାନ କଠୋର ସମାଲୋଚନା କରିଛନ୍ତି। ଯେଉଁ ରାଜ୍ୟରେ କଂଗ୍ରେସ ବା ତାଙ୍କ ସହଯୋଗୀଙ୍କ ସରକାର ଅଛି, ସେଠାରେ ଯୁବକଙ୍କ ଉପରେ ନିଷ୍ଠୁର ପୋଲିସି ଅତ୍ୟାଚାର ହେଉଛି। ଝାଡ଼ଖଣ୍ଡରେ ନିରୀହ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରତାକୁ ଆଜି ସମଗ୍ର ଦେଶ ଦେଖିଛି। କିନ୍ତୁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରୁଥିବା ରାହୁଲ ଗାନ୍ଧୀ ଏହି ସଂବେଦନଶୀଳ ପ୍ରସଙ୍ଗରେ ଆଜି ସମ୍ପୂର୍ଣ୍ଣ ନୀରବ। ଦେଶର ଯୁବପିଢ଼ି କଂଗ୍ରେସର ଏହି ଦୋହରା ଚରିତ୍ରକୁ ଭଲଭାବେ ବୁଝିସାରିଛନ୍ତି । ଗଣତନ୍ତ୍ରରେ ଆକ୍ରୋଶମୂଳକ ବା ଏକଛାତ୍ରବାଦୀ ଚିନ୍ତାଧାରାର କୌଣସି ସ୍ଥାନ ନାହିଁ। ଜରୁରୀକାଳୀନ ମାନସିକତାରେ ପରିଚାଳିତ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଏହାକୁ ଯଥାଶୀଘ୍ର ବୁଝିଯିବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି।