ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା

6

ବେଲଗୁଣ୍ଠା, ୧୧/୦୮, -(ଶିବରାମ ଚୌଧୁରୀ )-କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ଉଦ୍ୟୋଗୀ ମନୋଭାବ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଶାସନିକ ଅଧିକାରୀ ଡ. ଇ. ରବି ନାରାୟଣ ପାତ୍ର, ଅନିଲ ସ୍ୱାଇଁ ଓ ଅନିତା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୭୦ରୁ ଅଧିକ ଆକର୍ଷଣୀୟ ଓ ନବୀନ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ବିଭିନ୍ନ କ୍ଷେତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିନବ ଚିନ୍ତାଧାରା ଓ ପ୍ରକଳ୍ପଗୁଡ଼ିକ ଉପସ୍ଥିତ ଅତିଥି ଓ ଅଧ୍ୟାପକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ବିଚାରକ ଭାବେ ଅଧ୍ୟାପକ ସୀମାଞ୍ଚଳ ମହାନ୍ତି, ଧରିତ୍ରୀ ବିଷୋୟୀ ଓ ଦେବଦୂତ୍ତ ଗୌଡ଼ ଯୋଗଦେଇଥିଲେ। ପ୍ରକଳ୍ପର ନୂତନତ୍ୱ, ଉପଯୋଗିତା, ସମାଜ ପାଇଁ ପ୍ରାସଙ୍ଗିକତା ଓ ଭବିଷ୍ୟତରେ ଏହାକୁ ଷ୍ଟାର୍ଟଅପ୍ ଭାବେ ବିକଶିତ କରିବାର ସମ୍ଭାବନା ଆଦି ଆଧାରରେ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା।
ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ଉତ୍ସବରେ ପୁରସ୍କୃତ କରାଯିବ। ଏଥିସହ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରକଳ୍ପ ପ୍ରସ୍ତୁତି ଓ ନବସୃଜନକୁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିଲା।
ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ପ୍ରକଳ୍ପଗୁଡ଼ିକର ସିନପ୍ସିସ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପଠାଯିବାର ବ୍ୟବସ୍ଥା ରହିଛି। ଏହି କର୍ମଶାଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନୀ ଚିନ୍ତାଧାରା ଓ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ସହ ଭବିଷ୍ୟତରେ ସେମାନଙ୍କୁ ନିଜସ୍ୱ ଷ୍ଟାର୍ଟଅପ୍ ଗଢ଼ିବା ପାଇଁ ପ୍ରେରଣା ଯୋଗାଇଛି।

Leave A Reply

Your email address will not be published.