ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସହଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗରଭବନ (ଟାଉନ୍ହଲ୍) ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ଵ ରେ ମୁଖ୍ୟଅତିଥି ଭାବେ ଅନୁପ ପଣ୍ଡା , ଉପଜିଲ୍ଲାପାଳ , ପାରଳାଖେମୁଣ୍ଡି , ସମ୍ମାନିତ ଅତିଥି ଭାବେ ପଣ୍ଡିତ ରଘୁନାଥ ପାତ୍ର , ସଦସ୍ୟ ଓଡିଶା ସଂଗୀତ ନାଟକ ଏକାଡେମୀ ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ , ସୁଶ୍ରୀ ଅର୍ଜନା ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଅନୁଷ୍ଠାନ ର ଆବାହକ ଡ଼. ଚନ୍ଦନ ଗନ୍ତାୟତ , ପ୍ରମୁଖ ମଞ୍ଚାସିନ ରହି ସଙ୍ଗୀତ ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏକାଧାରରେ ଜଣେ ସୁଦକ୍ଷ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ ବେଶ ପରିଚିତ । ୧୦ ଅଗଷ୍ଟ ୧୯୩୨ରେ ଗୁଣପୁର ନିକଟସ୍ଥ ଲିହୁରୀ ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ପିଲାଟି ବେଳରୁ ହିଁ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ବିଜୟନଗର ସଙ୍ଗୀତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ଯକ୍ଷ ଦ୍ବାରମ୍ ଭେଙ୍କଟସ୍ବାମୀ ନାଇଡୁ , ପଣ୍ଡିତ ନରସିଂହ ଶର୍ମା ଓ ପଣ୍ଡିତ ବିଶ୍ବନାଥ ଦାଶ ଭଳି ମହାନ ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ସେ କେବଳ ଓଡିଆ ନୁହେଁ, ତେଲୁଗୁ , ତାମିଲ , କନ୍ନଡ ଭାଷାର ଅନେକ ଚଳଚିତ୍ରରେ ମଧ୍ଯ ସେ କଣ୍ଠ ଦାନ କରି ବେଶ ସୁନାମ ଅର୍ଜନ କରିଛନ୍ତି। ବିଶେଷ କରି ନିଜ ଶୈଳୀରେ ଗୀତ ଗୋବିନ୍ଦ ଗାୟନ କରି ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଧର୍ମପତ୍ନୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଓଡିଶୀ ନୃତ୍ୟରେ ରଘୁନାଥଙ୍କ ଗାୟନ ଦେଶ ବିଦେଶରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିଲା। ସେ ଲିହୁରୀରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ସଙ୍ଗୀତ ସାଧନା ପାରଳାଖେମୁଣ୍ଡିର ବିଭିନ୍ନ ସଙ୍ଗୀତ ବିଦ୍ବାନଙ୍କ ସଙ୍ଗତରେ ହୋଇଥିଲା।
ବିଶିଷ୍ଟ ବୀଣା ବାଦକ ତଥା କଣ୍ଠଶିଳ୍ପୀ ପଣ୍ଡିତ ତୁଳସୀ ଦାଶ , ସୁଦକ୍ଷ ବୀଣା ବାଦକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର , ପଣ୍ଡିତ ଅନନ୍ତ ଚରଣ ପାତ୍ର , ବେହେଲା ବାଦକ ଗୁରୁ ଡି.ସୁରି ନାରାୟଣା ଏବଂ ଓଡିଶୀ କଣ୍ଠଶିଳ୍ପୀ ନାରାୟଣ ବେହେରା ପ୍ରମୁଖଙ୍କ ସହ ସେ ଦୀର୍ଘ ସମୟ ଧରି ସଙ୍ଗୀତ ସାଧନା କରିବାର ସୁଯୋଗ ପାଇଥିଲେ । ଗୀତ ଗୋବିନ୍ଦ ପାଣିଗ୍ରାହୀ ଭାବେ ପରିଚିତ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ପ୍ରଥମ ଓଡିଆ ଗାୟକ ଯିଏ ଫ୍ରାନସ ସରକାରଙ୍କ ଦ୍ବାରା ୧୯୮୨ ମସିହାରେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡରେ ସମ୍ମାନୀତ ହୋଇଥିଲେ। ଗୀତ ଗୋବିନ୍ଦ ଗାୟନ ପାଇଁ ୧୯୬୮ ମସିହାରେ ସୁରମଣି ସମ୍ମାନ, ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଜୟଦେବ ସମ୍ମାନ ଏବଂ ୨୦୧୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ହେଲେ ୨୫ ଅଗଷ୍ଟ ୨୦୧୩ରେ ସୁରମଣିଙ୍କ ସ୍ବର ନିରବୀ ଯାଇଥିଲା। ଯାହା ଓଡ଼ିଶୀ ସଙ୍ଗୀତ ପାଇଁ ଅପୁରଣୀୟ କ୍ଷତି ବୋଲି ବକ୍ତା ମାନେ କହିଥିଲେ। ଆଦର୍ଶ ଦାସ ଅତିଥି ପରିଚୟ , ମଞ୍ଚ ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ପରେ ପରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତ ଓ ସାଥୀଙ୍କ ଦ୍ବାରା ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ସଂଗୀତ ପରିବେଷଣ ହୋଇଥିଲା।
ପାରଳା ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର, ସମଲେଇ ନୃତ୍ୟକଳା ପରିଷଦ , ଚାରୁ ନାର୍ତ୍ତନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ