୧୮ ତାରିଖ ପରେ ବାହାରେ ବସି ବିକ୍ରିୟ ସମ୍ପୁର୍ଣ୍ଣ ନିଷେଧ,
ଓଡ଼ଗାଁ୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଆଦର୍ଶ ମାଛ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମାଛ ବ୍ୟବସାୟ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆସନ୍ତା ୧୮ ତାରିଖରୁ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଅଗଷ୍ଟ ୭ ତାରିଖରେ ଓଡ଼ଗାଁ ଏନ୍ଏସି ସଭାଗୃହରେ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ମାଛ ବ୍ୟବସାୟୀଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ସତ୍ୟନାରାୟଣ ବାରିକଙ୍କ ସମେତ ଏନ୍ଏସି ଅଞ୍ଚଳରେ ମାଛ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ସହରର ସୌନ୍ଦର୍ଯ୍ୟ ଓ ସ୍ୱଚ୍ଛତା ଦୃଷ୍ଟିରୁ ରାସ୍ତାକଡ଼ ଓ ଅନ୍ୟାନ୍ୟ ସ୍ଥାନରେ ମାଛ ବିକ୍ରି ନକରି ଆଦର୍ଶ ମାଛ ବଜାରରେ ବ୍ୟବସାୟ କରିବାକୁ ବ୍ୟବସାୟୀମାନଙ୍କୁ ପୂର୍ବରୁ ଏକାଧିକ ଥର ତାଗିଦ କରାଯାଇଥିଲେ ମଧ୍ୟ ଏହାର ସୁଫଳ ମିଳିନଥିଲା। ତେଣୁ ପ୍ରଶାସନ ପକ୍ଷରୁ ଏଥର କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଗଷ୍ଟ ୧୦ରୁ ୧୪ ତାରିଖ ମଧ୍ୟରେ ମାଛ ବ୍ୟବସାୟୀମାନେ ଆଦର୍ଶ ମାଛ ବଜାରରେ ବ୍ୟବସାୟ ପାଇଁ ଆବେଦନ କରିବେ। ବଜାରରେ ଥିବା ୨୦ଟି ପିଣ୍ଡି ଲଟେରୀ ମାଧ୍ୟମରେ ବ୍ୟବସାୟୀମାନଙ୍କୁ ଆବଣ୍ଟନ କରାଯିବ। ଅଗଷ୍ଟ ୧୮ ତାରିଖରୁ ମାଛ ବ୍ୟବସାୟୀମାନେ କେବଳ ଆଦର୍ଶ ମାଛ ବଜାରରେ ବ୍ୟବସାୟ କରିପାରିବେ। ନିୟମ ଉଲ୍ଲଂଘନ କରି ବାହାରେ ମାଛ ବିକ୍ରି କଲେ କିମ୍ବା ବଜାରର ନିର୍ଦ୍ଧାରିତ ସର୍ତ୍ତାବଳୀ ଅବମାନନା କଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ମାଛ ବଜାରରୁ ବହିଷ୍କାର କରାଯିବ ବୋଲି ଏନ୍ଏସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ବ୍ୟବସାୟୀମାନେ ଶୃଙ୍ଖଳିତ ଓ ସହଯୋଗମୂଳକ ଭାବେ ଆଦର୍ଶ ମାଛ ବଜାରରେ ବ୍ୟବସାୟ କରିବାକୁ ତହସିଲଦାର ଓ ଥାନାର ଭାରପ୍ରାପ୍ତ ଅଧିକାରୀ ପରାମର୍ଶ ଦେଇଥିଲେ।