ପ୍ରଥମ ଲଗାଣ ବର୍ଷା ବି ସହି ପାରିଲାନି ପି.ଏମ.ଜି.ଏସ.ୱାଇ. ଘୁଘୁରପଲା ରାସ୍ତା!

46

ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କାମ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ବଲାଙ୍ଗିର/ ଟିଟିଲାଗଡ଼,୧୦/୦୮: ଗ୍ରାମାଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଲୋକଙ୍କ ଜୀବନଯାତ୍ରାକୁ ସହଜ କରିବା ପାଇଁ ସରକାରୀ ଯୋଜନାରେ ନିର୍ମିତ ରାସ୍ତା ଯଦି ପ୍ରଥମ ବର୍ଷାରେ ହିଁ ଭାଙ୍ଗିଯାଏ, ତେବେ ଏହାର ନିର୍ମାଣ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘୁଘୁରପଲା ଗ୍ରାମରେ।
ଘୁଘୁରପଲା ଗ୍ରାମରେ ପି. ଏମ. ଜି. ଏସ. ୱାଇ. ଆରଡି ରୋଡ ଠାରୁ ଘୁଘୁରପଲା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ନିର୍ମାଣ କାର୍ଯ୍ୟ କିଛି ମାସ ତଳେ ଶେଷ ହୋଇଥିବା ବେଳେ ଚଳିତ ବର୍ଷର ପ୍ରଥମ ଲଗାଣ ବର୍ଷାରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉପୁଡ଼ିଯିବା, ଫାଟ ସୃଷ୍ଟି ହେବା ଏବଂ ରାସ୍ତା ଭାଙ୍ଗିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି।ଘୁଘୁରପଲା ବ୍ରିଜ୍‌ର ଉଭୟ ପାର୍ଶ୍ୱରେ ରାସ୍ତା ଭାଙ୍ଗିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ପରେ ଆଉ ଏକ ଗୁରୁତର ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇଛି। ସାମାନ୍ୟ ବର୍ଷା ହେଲେ ରାସ୍ତାର ଉଭୟ ପାର୍ଶ୍ୱର ମାଟି ଧୋଇ ଚାଷ ଜମି ଭିତରକୁ ପଶୁଥିବା ଅଭିଯୋଗ ହୋଇଛି। ଫଳରେ ଚାଷ ଜମି ନଷ୍ଟ ହେବା ସହ ଚାଷୀମାନେ କ୍ଷତି ସହୁଥିବା କହିଛନ୍ତି।
ଚାଷୀ ଡମ୍ବରୁ ଝାଙ୍କର, ଶେଷଦେବଙ୍କ ସମେତ ଅନେକ ଚାଷୀ କହିଛନ୍ତି ଯେ, ଚାଷ ହିଁ ସେମାନଙ୍କ ପରିବାର ପ୍ରତିପାଳନର ମୁଖ୍ୟ ଆଧାର। କିନ୍ତୁ ରାସ୍ତା ନିର୍ମାଣ ପରେ ବର୍ଷା ହେଲେ ରାସ୍ତାର ମାଟି ଚାଷ ଜମିକୁ ଧୋଇଯାଉଥିବାରୁ ସେମାନଙ୍କ ଚାଷ ପ୍ରଭାବିତ ହେଉଛି। ଅଭିଯୋଗ ଅନୁଯାୟୀ, ରାସ୍ତା ଓ ବ୍ରିଜ୍‌ ନିର୍ମାଣ ସମୟରେ ଡମ୍ବରୁ ଝାଙ୍କରଙ୍କ ଚାଷ ଜମିରେ ବହୁ ପରିମାଣର ନିର୍ମାଣ ସାମଗ୍ରୀ ରଖାଯାଇଥିଲା। ଚାଷ ସମୟ ପୂର୍ବରୁ ଏହାକୁ ହଟାଇ ଦିଆଯିବ ବୋଲି ଠିକାଦାର ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଚାଷୀଙ୍କ ଅଭିଯୋଗ। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାଙ୍କ ଜମିରୁ ନିର୍ମାଣ ସାମଗ୍ରୀ ହଟାଯାଇନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଠିକାଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ତାଙ୍କ ଅଭିଯୋଗ। ରାସ୍ତା ନିର୍ମାଣ ଯୋଗୁଁ ଯଦି ଚାଷୀଙ୍କ ଜମି ଓ ଫସଲ କ୍ଷତିଗ୍ରସ୍ତ ହୁଏ, ତେବେ ଏହାର ଦାୟିତ୍ୱ କାହାର—ଠିକାଦାର ସଂସ୍ଥାର, ନା ବିଭାଗୀୟ ଅଧିକାରୀଙ୍କର, ନା ପ୍ରଶାସନର? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଉଠିଛି। ଚାଷୀଙ୍କ କହିବା ଅନୁଯାୟୀ, ସମସ୍ୟା ନେଇ ଠିକାଦାରଙ୍କୁ ଯୋଗାଯୋଗ କଲେ ମୁନସୀଙ୍କୁ କହିବାକୁ ଏବଂ ମୁନସୀଙ୍କୁ କହିଲେ ଠିକାଦାରଙ୍କୁ କହିବାକୁ କୁହାଯାଉଛି। ଫଳରେ ସମସ୍ୟାର ସମାଧାନ ନହୋଇ ଚାଷୀ ଅସହାୟ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି।ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ରାସ୍ତାର ସୂଚନା ଫଳକକୁ ନେଇ। ଫଳକରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ, ଠିକାଦାରଙ୍କ ନାମ ନୀତେଶ କୁମାର ଜୈନ, ରାସ୍ତାର ଲମ୍ବ ୧.୮୬୦ କି.ମି., କାର୍ଯ୍ୟ ଆରମ୍ଭ ତାରିଖ ୨୨.୦୨.୨୦୧୯ ଏବଂ କାର୍ଯ୍ୟ ଶେଷ ତାରିଖ ୨୧.୦୮.୨୦୧୯ ବୋଲି ଉଲ୍ଲେଖ ରହିଛି। ଏହା ଆର.ଡ଼ବ୍ଲୁ.ଡି. ବିଭାଗ, ଟିଟିଲାଗଡ଼ ଅଧୀନରେ ଥିବା ଫଳକରେ ଉଲ୍ଲେଖ ହୋଇଛି।ଏଠାରେ ହିଁ ସୃଷ୍ଟି ହେଉଛି ଗୁରୁତର ସନ୍ଦେହ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତାର ବାସ୍ତବ ନିର୍ମାଣ କାର୍ଯ୍ୟ ଚଳିତ ୨୦୨୬ ମସିହାର କିଛି ମାସ ପୂର୍ବରୁ ଶେଷ ହୋଇଛି। ତେବେ ଫଳକରେ ୨୦୧୯ରେ କାର୍ଯ୍ୟ ଶେଷ ହୋଇଥିବା ଉଲ୍ଲେଖ ଥିବାବେଳେ ୨୦୨୬ରେ ନିର୍ମାଣ କାର୍ଯ୍ୟ ଶେଷ ହେବାର କାରଣ କ’ଣ? ଏହା ପୁନଃନିର୍ମାଣ, ମରାମତି କିମ୍ବା ଅନ୍ୟ କୌଣସି କାର୍ଯ୍ୟର ଅଂଶ କି? ଏହାର ସ୍ପଷ୍ଟତା ବିଭାଗ ପକ୍ଷରୁ ଦିଆଯିବା ଆବଶ୍ୟକ।₹୮୪.୧୪ କୋଟି ନା ₹୮୪.୧୪ ଲକ୍ଷ? ଅଟକଳ ମୂଲ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସୂଚନା ଫଳକରେ ଅଟକଳ ମୂଲ୍ୟ ୮୪୧୪୧୧୯୦୦ ଟଙ୍କା ବୋଲି ଉଲ୍ଲେଖ ରହିଥିବା ଜଣାପଡ଼ିଛି। ଏହି ସଂଖ୍ୟାର ପ୍ରକୃତ ଅର୍ଥ ଓ ଅଟକଳ ମୂଲ୍ୟ ମଧ୍ୟ ସନ୍ଦେହ ପ୍ରକାଶ କରୁଛି।ମାତ୍ର ୧.୮୬୦ କି.ମି. ରାସ୍ତା ପାଇଁ ଏତେ ବଡ଼ ଅଟକଳ ମୂଲ୍ୟ କାହିଁକି—ଏହା ମଧ୍ୟ ତଦନ୍ତର ବିଷୟ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।ପ୍ରଥମ ବର୍ଷାରେ ରାସ୍ତାର ଗୁଣବତ୍ତା ପଦାରେ, ଏକପଟେ ସୂଚନା ଫଳକରେ ଥିବା ତାରିଖ ଓ ବାସ୍ତବ କାର୍ଯ୍ୟ ସମୟକୁ ନେଇ ପ୍ରଶ୍ନ, ଅନ୍ୟପଟେ ପ୍ରଥମ ଲଗାଣ ବର୍ଷାରେ ରାସ୍ତାର ପିଚୁ ଉପୁଡ଼ିବା, ଫାଟ ସୃଷ୍ଟି ହେବା ଓ ବ୍ରିଜ୍‌ ନିକଟରେ ରାସ୍ତା ଭାଙ୍ଗିବା—ସମଗ୍ର ଘଟଣା ଏବେ ରାସ୍ତା ନିର୍ମାଣର ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।ସ୍ଥାନୀୟ ଅଞ୍ଚଳବାସୀ ଏହି ରାସ୍ତା ଓ ବ୍ରିଜ୍‌ ନିର୍ମାଣର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ରାସ୍ତାରେ ବ୍ୟବହୃତ ସାମଗ୍ରୀର ମାନ, ନିର୍ମାଣ ପ୍ରକ୍ରିୟା, ବିଭାଗୀୟ ମାପ ଓ ବିଲ୍‌, କାର୍ଯ୍ୟ ସମ୍ପୂର୍ଣ୍ଣତା ପ୍ରମାଣପତ୍ର, ରକ୍ଷଣାବେକ୍ଷଣ ଦାୟିତ୍ୱ ଏବଂ ଚାଷୀଙ୍କ ଜମିରେ ପଡ଼ିଥିବା ନିର୍ମାଣ ସାମଗ୍ରୀ ସମ୍ପର୍କରେ ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଆଣିବାକୁ ସେମାନେ ଦାବି କରିଛନ୍ତି।ସରକାରୀ ଅର୍ଥରେ ନିର୍ମିତ ଏହି ରାସ୍ତା ଯଦି ପ୍ରଥମ ବର୍ଷାରେ ହିଁ ଭାଙ୍ଗିଯାଏ, ତେବେ ଦାୟୀ କିଏ? ଚାଷୀଙ୍କ କ୍ଷତିର ଭରଣା କରିବ କିଏ? ଏବଂ ୨୦୧୯ର କାର୍ଯ୍ୟ ଫଳକରେ ଥିବାବେଳେ ୨୦୨୬ରେ କାମ ଶେଷ ହେବାର ରହସ୍ୟ କ’ଣ? ଏହାର ଉତ୍ତର ଏବେ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଦେବାକୁ ପଡ଼ିବ ବୋଲି ଅଞ୍ଚଳବାସୀ ଦାବୀ କରିଛନ୍ତି।

Leave A Reply

Your email address will not be published.