“ଗୁରୁ ଦିବସ”କୁ ‘ଜାତୀୟ ପାଳନ ଦିବସ’ ଭବେ ଗ୍ରହଣ କରିବାକୁ ୟୁଟିଆ ପକ୍ଷରୁ ଦୃଢ଼ ଦାବୀ

8

କେନ୍ଦୁଝର,ତା୧୦/୦୮- ରାଜ୍ୟ ସରକାର ‘ଗୁରୁ ଦିବସ’ ବା ‘ଶିକ୍ଷକ ଦିବସ’ କୁ ଚଳିତ ୨୦୨୬ ମସିହା ସରକାରୀ କ୍ୟାଲେଣ୍ଡରରେ ‘ଜାତୀୟ ପାଳନ ଦିବସ’ ଭାବରେ ସ୍ଥାନ ଦେଇ ନାହାନ୍ତି। ଫଳରେ ରାଜ୍ୟର ହଜାର ହଜାର କାର୍ଯ୍ୟରତ ଏଵଂ ଅବସରପ୍ରାପ୍ତ ଶିକ୍ଷକ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଗୁରୁ ବା ଶିକ୍ଷକ ସମାଜ ପାଇଁ ସରକାରଙ୍କ ଉପେକ୍ଷା ଓ ଗୁରୁ ମାନଙ୍କୁ ଅପମାନ ବୋଲି ଶିକ୍ଷକ ମହଲରେ ମତ ପ୍ରକାଶ ପାଇଛି। ପୌରାଣିକ ଯୁଗରୁ ଗୁରୁ ମାନଙ୍କୁ ଶ୍ରେଷ୍ଠତ୍ଵ ପ୍ରଦାନ କରାଯାଉଥିବା ବେଳେ ସ୍ୱାଧୀନ ଭାରତ ବର୍ଷରେ ଦୀର୍ଘ କାଳରୁ ଭୂତପୂର୍ବ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସ୍ମୃତିରେ ଶିକ୍ଷକଙ୍କ ସମ୍ମାନାର୍ଥେ ସେପ୍ଟେମ୍ବର ମାସ ୫ ତାରିଖକୁ ଗୁରୂ ଦିଵସ ଭାବେ ୨୦୨୫ ମସିହା ପର୍ଯ୍ୟନ୍ତ ଜାତୀୟ ସ୍ତରରେ ପାଳନ କରାଯାଉଥିଲା। କିନ୍ତୁ ଚଳିତ ୨୦୨୬ ମସିହାରେ ରାଜ୍ୟ ସରକାର ନିଜ ଦ୍ଵାରା ପ୍ରକାଶିତ କ୍ୟାଲେଣ୍ଡରରେ ‘ଗୁରୁ ଦିବସ’ କୁ ଜାତୀୟ ପାଳନ ଦିବସ ତାଲିକାରୁ ବାଦ ଦେଇଥିବାରୁ ପୁନର୍ବାର ଜାତୀୟ ପାଳନ ଦିବସ ତାଲିକାରେ ସ୍ଥାନ ଦେବାକୁ ବିଭିନ୍ନ ମହଲରେ ଦାବୀ ଜୋର ଧରିଛି।
“ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଲାକୟା। ଚକ୍ଷୁ ରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ॥”
ଅର୍ଥାତ୍ ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରେ ଗଭୀର ଭାବେ ଅନ୍ଧ ହୋଇ ରହିଥିଵା ବ୍ୟକ୍ତି ବା ମାନବର ଆଖିକୁ ଯିଏ ଜ୍ଞାନ ରୂପୀ ଅଞ୍ଜନ ଦ୍ଵାରା ଶଲାଖି (କାଠି) ବା ଲେଖନୀ ପ୍ରୟୋଗ କରି ଖୋଲି ଦିଅନ୍ତି ବା ଅଜ୍ଞାନତା ଦୂର କରି ଜ୍ଞାନର ଆଲୋକ ଦେଖାନ୍ତି, ସେହି ପରମ ଆରାଧ୍ୟ ଶ୍ରୀ ଗୁରୁ ଙ୍କୁ ମୋର କୋଟି କୋଟି ପ୍ରଣାମ। ସଂସ୍କୃତ ଭାଷାର ଏହି ଶ୍ଲୋକ ଆଜି ରାଜ୍ୟ ସରକାରଙ୍କ ପାଖରେ ମୂଲ୍ୟହୀନ ହୋଇ ଯାଇଛି। ସରକାର ଆଜି ସମଗ୍ର ଗୁରୂ ସମାଜକୁ ଉପେକ୍ଷା କରି ଅପମାନିତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଆଜି ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ, ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ସଭାପତି ଉପେନ୍ଦ୍ର ସାହୁ ଏଵଂ ସାଧାରଣ ସମ୍ପାଦକ ପ୍ରଣବ ରାଉତରାୟ ଉଭୟ ଦାବିପତ୍ର ଧରି ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା, ଭୁବନେଶ୍ୱର ଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଏହାର ନକଲ ଶିକ୍ଷା କମିସନର, ଶିକ୍ଷା ବିଭାଗ ସଚିବ ଏଵଂ ନିର୍ଦ୍ଦେଶକ, ଶିକ୍ଷା ବିଭାଗ, ଓଡ଼ିଶା ଭୁବନେଶ୍ୱର ଙ୍କୁ ପ୍ରଦାନ କରିଛନ୍ତି। ‘ଗୁରୁ ଦିବସ’ କୁ ଜାତୀୟ ପାଳନ ଦିବସ ଭାବେ ପାଳନ କରିବାକୁ ଯାଇ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସ୍ମୃତିରେ ୨୦୨୫ ମସିହା ପର୍ଯ୍ୟନ୍ତ ଛାତ୍ର, ଶିକ୍ଷକ ଏବଂ ଜନସାଧାରଣଙ୍କ ଦ୍ୱାରା ଶିକ୍ଷକ ଦିବସ ନିରନ୍ତର ପାଳିତ ହୋଇଆସୁଛି। କିନ୍ତୁ ଏହା ସତ୍ୟ ଯେ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ପ୍ରଦାନ କରାଯାଇଥିବା ସମଗ୍ର ୨୦୨୬ ବର୍ଷ ପାଇଁ ପାଳନ ଦିବସ ତାଲିକାରୁ ଶିକ୍ଷକ ଦିବସକୁ ବାଦ ଦିଆଯାଇଛି। ତେଣୁ, ସାରା ବର୍ଷ ପାଇଁ ପାଳନ ଦିବସ ତାଲିକାରେ ପୁଣିଥରେ ଶିକ୍ଷକ ଦିବସ ବା ଗୁରୂ ଦିଵସକୁ ସାମିଲ କରିବାକୁ ସରକାରଙ୍କୁ ୟୁଟିଆ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.