ସାଂସଦ ମଞ୍ଚରେ ଉପସ୍ଥିତ ଥିବାବେଳେ ତାଙ୍କ ପ୍ରତିନିଧିଙ୍କୁ କେଉଁ ପ୍ରୋଟୋକଲ ଆଧାରରେ ମଞ୍ଚରେ ବସାଗଲା ?

57

ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲକୁ ଦଳୀୟ ସ୍ୱାର୍ଥ ପାଇଁ ବଳି ଦିଆଯାଉଛି: ରୋହିତ ପୂଜାରୀ


ଭୁବନେଶ୍ୱର, ୧୦/୦୮/୨୦୨୬:
ସମ୍ୱଲପୁରରେ ଗତକାଲି ଆୟୋଜିତ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ନେଇ ସରକାରୀ ପ୍ରୋଟୋକଲର ଉଲ୍ଲଙ୍ଘନ ହୋଇଛି । ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ ଏବଂ ଦଳୀୟ ପଦବୀରେ ଥିବା ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କୁ ସ୍ଥାନ ଦିଆଯିବାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ତୀବ୍ର ଆପତ୍ତି ଉଠାଇଛନ୍ତି ।
ଶ୍ରୀ ରୋହିତ ପୂଜାରୀ କହିଥିଲେ ଯେ, ସରକାରୀ କାର୍ଯ୍ୟକ୍ରମ କୌଣସି ରାଜନୈତିକ ଦଳର ସଭା କିମ୍ୱା ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ନୁହେଁ । ଏଭଳି କାର୍ଯ୍ୟକ୍ରମରେ ସାମ୍ୱିଧାନିକ ପଦବୀ, ନିର୍ବାଚିତ ପ୍ରତିନିଧି ଓ ସରକାରୀ ପ୍ରୋଟୋକଲକୁ ଗୁରୁତ୍ୱ ମିଳିବା ଆବଶ୍ୟକ । କିନ୍ତୁ ଗତକାଲିର ତ୍ରିରଙ୍ଗା ଯାତ୍ରାରେ ପ୍ରୋଟୋକଲର ଧର୍ଜିଆ ଉଡ଼ାଯାଇ ସରକାରୀ ମଞ୍ଚକୁ ଦଳୀୟ ମଞ୍ଚ ଭଳି ବ୍ୟବହାର କରାଯାଇଥିଲା । ଯେତେବେଳେ ସାଂସଦ ନିଜେ ମଞ୍ଚରେ ଉପସ୍ଥିତ ଅଛନ୍ତି, ସେତେବେଳେ ତାଙ୍କ ପ୍ରତିନିଧି ନାଉରୀ ନାୟକ କେଉଁ ଅଧିକାର, କେଉଁ ନିୟମ ଏବଂ କେଉଁ ପ୍ରୋଟୋକଲ ଆଧାରରେ ସେହି ସରକାରୀ ମଞ୍ଚରେ ବସିଲେ? ସାଂସଦ ଉପସ୍ଥିତ ଥିବା ସମୟରେ ତାଙ୍କ ପ୍ରତିନିଧିଙ୍କୁ ମଞ୍ଚରେ ବସାଇବାର ଆବଶ୍ୟକତା କ’ଣ ଥିଲା? ଏହା କେବଳ ଗୋଟିଏ ବ୍ୟକ୍ତିଙ୍କୁ ମଞ୍ଚରେ ବସାଇବାର ପ୍ରଶ୍ନ ନୁହେଁ, ବରଂ ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲ କିପରି ପାଳନ କରାଯାଉଛି, ତାହା ଏକ ବଡ଼ ପ୍ରଶ୍ନ । କୌଣସି ରାଜନୈତିକ ଦଳର ଜିଲ୍ଲା ସଭାପତି କିମ୍ୱା ଦଳୀୟ ପଦାଧିକାରୀଙ୍କୁ ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ କେଉଁ ପ୍ରୋଟୋକଲ ଅନୁସାରେ ସ୍ଥାନ ଦିଆଗଲା, ତାହା ପ୍ରଶାସନ ସ୍ପଷ୍ଟ କରିବା ଆବଶ୍ୟକ । ଯଦି ସରକାରୀ ମଞ୍ଚରେ ଦଳୀୟ ପଦାଧିକାରୀଙ୍କୁ ଏଭଳି ଭାବରେ ସ୍ଥାନ ଦିଆଯାଏ, ତେବେ ଆଗାମୀ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ ଥିବା ପାର୍ଥକ୍ୟ ରହିବ ନାହିଁ । ସରକାରୀ ମଞ୍ଚକୁ ଯଦି ଶାସକ ଦଳର ରାଜନୈତିକ ମଞ୍ଚରେ ପରିଣତ କରାଯାଏ, ଏହା କେବଳ ପ୍ରୋଟୋକଲର ଉଲ୍ଲଙ୍ଘନ ନୁହେଁ, ସରକାରୀ ବ୍ୟବସ୍ଥାର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବ ।
ଶ୍ରୀ ପୂଜାରୀ ଆହୁରି କହିଥିଲେ ଯେ, ତ୍ରିରଙ୍ଗା ଯାତ୍ରାରେ ବ୍ୟବହୃତ କେତେକ ଜାତୀୟ ପତାକାରେ ଅଶୋକ ଚକ୍ର ନଥିଲା । ଜାତୀୟ ପତାକା କେବଳ ଏକ କପଡ଼ା ନୁହେଁ, ଏହା ଦେଶର ସାର୍ବଭୌମତ୍ୱ, ଗଣତନ୍ତ୍ର, ଏକତା ଓ ଗୌରବର ପ୍ରତୀକ । ତେଣୁ ଜାତୀୟ ପତାକା ବ୍ୟବହାର କରିବା ସମୟରେ ନିର୍ଦ୍ଧାରିତ ନିୟମ ଓ ମର୍ଯ୍ୟାଦାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବା ଦରକାର । ଦେଶଭକ୍ତି ନାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯଦି ଜାତୀୟ ପତାକାର ନିର୍ଦ୍ଧାରିତ ରୂପ ଓ ମର୍ଯ୍ୟାଦାକୁ ଅଣଦେଖା କରାଯାଏ, ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଶାସନ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ କରିବା ଆବଶ୍ୟକ । ସରକାରୀ ବ୍ୟବସ୍ଥାକୁ ଯଦି ଶାସକ ଦଳର ଚାପରେ ଚଳାଯାଏ, ତେବେ ଏହା ଗଣତନ୍ତ୍ର ପାଇଁ ବିପଦ । ପ୍ରଶାସନିକ ଅଧିକାରୀମାନେ ଦଳୀୟ ଚାପରୁ ମୁକ୍ତ ରହି ଆଇନ, ନିୟମ ଓ ସରକାରୀ ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟ କରିବା ଉଚିତ । ପ୍ରଶାସନ ଯଦି ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ଶାସକ ଦଳକୁ ଖୁସି କରିବା ପାଇଁ “ହାଁଜୀ’ ଭୂମିକା ଗ୍ରହଣ କରେ, ତେବେ ସାଧାରଣ ଲୋକଙ୍କ ନିକଟରେ ପ୍ରଶାସନର ନିରପେକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ । ସରକାର ବଦଳିପାରେ, ଦଳ ବଦଳିପାରେ, କିନ୍ତୁ ସରକାରୀ ପ୍ରୋଟୋକଲ ଓ ସାମ୍ୱିଧାନିକ ମର୍ଯ୍ୟାଦାକୁ ଦଳୀୟ ସ୍ୱାର୍ଥ ପାଇଁ ବଦଳା ଯାଇପାରିବ ନାହିଁ । ତେଣୁ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲର ସଠିକ୍ ପାଳନ, ଜାତୀୟ ପତାକାର ମର୍ଯ୍ୟାଦା ଏବଂ ପ୍ରଶାସନିକ ନିରପେକ୍ଷତା ନିଶ୍ଚିତ କରିବାକୁ ଶ୍ରୀ ପୂଜାରୀ ଦାବି କରିଛନ୍ତି ।

Leave A Reply

Your email address will not be published.