- ପାଇପ୍ଲାଇନ୍ ଫାଟି ୨୧ ନମ୍ବର ରାଜପଥରେ ଜମୁଛି ପାଣି;
- କାଉଡ଼ିଆ ଭିଡ଼ ପରିଚାଳନାକୁ ସ୍ୱତନ୍ତ୍ର ଧ୍ୟାନ ଦାବି,
ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ତଥା ସମଗ୍ର ଓଡ଼ିଶାର ଅନନ୍ୟ ଶୈବକ୍ଷେତ୍ର ଓଡ଼ଗାଁ ବ୍ଲକ ଶରଣକୁଳର ଶ୍ରୀ ଶ୍ରୀ ଲଡୁକେଶ୍ୱର ମହାଦେବଙ୍କ ପୀଠରେ ଶ୍ରାବଣ ମାସର ସୋମବାର ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆଙ୍କ ସମାଗମ ହେଉଛି। ଏଭଳି ସମୟରେ ଶରଣକୁଳର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି।
ମନ୍ଦିରର ଦକ୍ଷିଣ ପାର୍ଶ୍ୱ ପୁଷ୍କରିଣୀ ନିକଟ ଦେଇ ଯାଇଥିବା ଭୁବନେଶ୍ୱର-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥରେ ପାନୀୟଜଳ ଯୋଗାଣ ପାଇପ୍ଲାଇନ୍ ଫାଟି ପାଣି ରାସ୍ତା ଉପରେ ଜମି ରହୁଛି। ପାଣି ଜମି ରହିବା ଯୋଗୁଁ ରାସ୍ତାର ପିଚୁ ଉଠିବା ସହ ତଳ କଂକ୍ରିଟ୍ ମଧ୍ୟ ନଷ୍ଟ ହୋଇ ମଝି ରାସ୍ତାରେ ବଡ ବଡ ଖାଲଖମା ସୃଷ୍ଟି ହୋଇଛି। ଏହା ସାଙ୍ଗକୁ ରାସ୍ତାରେ ଥିବା ଅଧିକ ଉଚ୍ଚତାର ତିନି ଥାକିଆ ହମ୍ପସ୍ ଯାତାୟାତ ପାଇଁ ଘୋର ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ଶ୍ରାବଣ ସୋମବାରରେ ହଜାର ହଜାର କାଉଡ଼ିଆଙ୍କ ଯାତାୟାତ ହେଉଥିବାରୁ ରାଜପଥର ଏଭଳି ଅବସ୍ଥା ଦୁର୍ଘଟଣାର ଆଶଙ୍କା ବଢ଼ାଇଛି। ଗତ ସୋମବାର ୬ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଲଡୁ ବାବାଙ୍କ ଠାରେ ଜଳଲାଗି କରିଥିବା ବେଳେ ଆସନ୍ତା ସୋମବାର ମଧ୍ୟ ସମାନ ଭାବେ ଭିଡ଼ ହେବାର ଆଶା କରାଯାଉଛି। ଏଥି ସହିତ ଏହି ପଥଦେଇ ଓଡ଼ଗାଁ ବାବା ଦୂତୀକେଶ୍ବର ମହାଦେବଙ୍କ ମନ୍ଦିରକୁ ମଧ୍ୟ କାଉଡ଼ିଆ ମାନେ ଆସିଥାନ୍ତି । ଏପରି କ୍ଷେତ୍ରରେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଶରଣକୁଳର ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ମହିଳା ଓ ପୁରୁଷଙ୍କ ପାଇଁ ପର୍ଯ୍ୟାପ୍ତ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବା ସହ କାଉଡ଼ିଆମାନେ ଫେରିଯିବା ପରେ ତୁରନ୍ତ ସଫେଇ କାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଫାଟିଥିବା ପାଇପ୍ଲାଇନ୍ ମରାମତି, ରାଜପଥରେ ଜମିଥିବା ପାଣି ନିଷ୍କାସନ ଏବଂ ବିପଦସଙ୍କୁଳ ହମ୍ପସ୍ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ନଚେତ୍ ଆଗକୁ ଭିଡ଼ ବଢ଼ିଲେ ପରିସ୍ଥିତି ଅଣାୟତ୍ତ ହେବା ସହ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ବହୁ ଅସୁବିଧାରେ ପଡ଼ିବା ଆଶଙ୍କା ରହିଛି।