ବୁଢ଼ା ବୁଢ଼ିଆଣୀ ଜଳସେଚନ ଯୋଜନା, ଅନାବନା ଲଟି ଭିତରେ ହଜିଯାଉଛି କେନାଲ

35


ଚାଷୀଙ୍କ ଜମିକୁ ପାଣି ଯିବାରେ ବାଧା, ଅସ୍ବାଭାବିକ ବର୍ଷାରେ ଜଳ ପରିଚାଳନା ହେବ ବାଧାପ୍ରାପ୍ତ


ଓଡ଼ଗାଁ, ୯।୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ା ବୁଢ଼ିଆଣୀ ମଧ୍ୟମ ଜଳସେଚନ ଯୋଜନାର କେନାଲ ସଫେଇକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ବଢ଼ିଛି। ବର୍ଷା ପୂର୍ବରୁ କେନାଲ ସଫେଇ କରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ବର୍ଷା ଋତୁ ଶେଷ ହେବାକୁ ବସିଥିବା ବେଳେ ସଫେଇ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ। ବୁଢ଼ା ବୁଢ଼ିଆଣୀଠାରୁ ଗୋଠବଣ, ସେଠାରୁ ପଞ୍ଚରିଡ଼ା ଦେଇ ଶିଖରପୁର ଏବଂ ଅନ୍ୟପଟେ ଗୋଠବଣଠାରୁ ରାବରା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ କେନାଲର ସଫେଇ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଫଳରେ ଆବଶ୍ୟକ ସମୟରେ ଚାଷୀଙ୍କ ଜମିକୁ ଜଳ ଯୋଗାଣ କିପରି ହେବ ସେ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ମୋଟ ଅନୁମାନିକ ମୂଲ୍ୟଠାରୁ ପ୍ରାୟ ୪୭ ପ୍ରତିଶତ କମ୍ ମୂଲ୍ୟରେ ଠିକା ନେଇଥିବା ଠିକାଦାର ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ କି ନାହିଁ, ତାହା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏପଟେ ପାଣି ପଞ୍ଚାୟତ କମିଟି ଭାଙ୍ଗି ଯାଇଥିବାରୁ ମୁଖ୍ୟ କେନାଲରୁ ବାହାରିଥିବା କାଡ଼ାନାଳ ଓ ଛୋଟ ଛୋଟ ନାଳଗୁଡ଼ିକୁ ଚାଷୀମାନେ ନିଜସ୍ୱ ଉଦ୍ୟମରେ ସଫା କରି ପାଣି ନେବାକୁ ବାଧ୍ୟ ହେବେ। ନାଳଗୁଡ଼ିକରେ ଅନାବନା ଗଛଲତା ଓ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ଏହାକୁ ଚାଷୀଙ୍କ ପକ୍ଷରୁ ସଫା କରିବା ସହଜ ମଧ୍ୟ ନୁହେଁ। ଏଭଳି ସ୍ଥିତିରେ କେନାଲ ଓ କାଡ଼ାନାଳ ଗୁଡ଼ିକର ତୁରନ୍ତ ସଫେଇ କରି ଚାଷୀଙ୍କ ଜମିକୁ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ମହଲରୁ ଦାବି ହୋଇଛି।

Leave A Reply

Your email address will not be published.