ଓଏଆରସି ଅପଡେଟ୍–V ରେ ଅସ୍ଥିକ୍ଷୟ ରୋଗର ଆଧୁନିକ ଚିକିତ୍ସା ଉପରେ ଜାତୀୟ ସ୍ତରର ଆଲୋଚନା

36

ଭୁବନେଶ୍ୱର, ଅଗଷ୍ଟ ୯: ଅସ୍ଥିକ୍ଷୟ (ଅଷ୍ଟିଓପୋରୋସିସ୍) ରୋଗର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ନେଇ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ପକ୍ଷରୁ “ଓଏଆରସି ଅପଡେଟ୍–V” ଶୀର୍ଷକ ଏକ ଦିନିଆ ଜାତୀୟ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। “Connecting Density and Destiny in Osteoporosis” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀ ଇଣ୍ଡିଆନ୍ ରିଉମାଟୋଲୋଜି ଆସୋସିଏସନ୍ (IRA), ଓଡ଼ିଶା ଏଣ୍ଡୋକ୍ରାଇନ୍ ସୋସାଇଟି (OES) ଏବଂ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍ (OOA)ର ସହଯୋଗରେ ଆୟୋଜିତ ହୋଇଥିଲା।
ଏହି ସମ୍ମିଳନୀରେ ରିଉମାଟୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ଅର୍ଥୋପେଡିକ୍ସ ଓ ଜେନେରାଲ୍ ମେଡିସିନ୍ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞମାନେ ଅସ୍ଥିକ୍ଷୟ ରୋଗର ଶୀଘ୍ର ନିର୍ଣ୍ଣୟ, ଫ୍ରାକ୍ଚର ପ୍ରତିରୋଧ ଓ ସମନ୍ୱିତ ଚିକିତ୍ସା ପଦ୍ଧତି ସମ୍ପର୍କରେ ନବୀନ ଗବେଷଣା ଓ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରିଥିଲେ।
ଏହି ସମ୍ମିଳନୀର ଆୟୋଜନ ସଚିବ ପ୍ରଫେସର ଡ଼. ଜ୍ୟୋତି ରଞ୍ଜନ ପରିଡା ଏବଂ ବୈଜ୍ଞାନିକ ଅଧ୍ୟକ୍ଷ ଡ଼. ପାର୍ଥଜିତ ଦାସ ଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ରିଉମାଟୋଲୋଜିଷ୍ଟ, ଏଣ୍ଡୋକ୍ରାଇନୋଲୋଜିଷ୍ଟ, ଅର୍ଥୋପେଡିକ୍ ସର୍ଜନ୍, ସାଧାରଣ ଚିକିତ୍ସକ ଓ ସ୍ନାତକୋତ୍ତର ଡାକ୍ତରଙ୍କ ସମେତ ୨୫୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଥିଲେ।


ସମ୍ମିଳନୀକୁ ଇଣ୍ଡିଆନ୍ ରିଉମାଟୋଲୋଜି ଆସୋସିଏସନ୍–ଓଡ଼ିଶା ଶାଖାର ସଭାପତି ଡ଼. ଶିଶିର କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଏଣ୍ଡୋକ୍ରାଇନ୍ ସୋସାଇଟିର ସଭାପତି ପ୍ରଫେସର ଡ଼. ପୀତାମ୍ବର ପ୍ରୁଷ୍ଟି, ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍ର ସଭାପତି ପ୍ରଫେସର ଡ଼. ବସନ୍ତ କୁମାର ବେହେରା ଏବଂ ଏପିଆଇ (ଓଡ଼ିଶା)ର ସଭାପତି ଡ଼. ଭରତ ପାଣିଗ୍ରାହୀ ଉପସ୍ଥିତ ଥିଲେ।
ଏହି ଅବସରରେ ବ୍ରିଟେନର ପ୍ରଖ୍ୟାତ ରିଉମାଟୋଲୋଜିଷ୍ଟ ଡ଼. ଇରା ପାଣ୍ଡେଙ୍କୁ ରିଉମାଟୋଲୋଜି, ଅସ୍ଥିକ୍ଷୟ ଗବେଷଣା, ଚିକିତ୍ସା ଶିକ୍ଷା ଏବଂ ଭାରତ–ବ୍ରିଟେନ ଶିକ୍ଷାଗତ ସହଯୋଗ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ‘OARFT Tribute–2026’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ‘ଓଏଆରସି ଅପଡେଟ୍–V ସ୍ମରଣିକା’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏଥିରେ ଅସ୍ଥିକ୍ଷୟ ସମ୍ବନ୍ଧୀୟ ସାମ୍ପ୍ରତିକ ଗବେଷଣା, ବିଶେଷଜ୍ଞମାନଙ୍କ ପ୍ରବନ୍ଧ ଏବଂ ଚିକିତ୍ସା ବିଷୟକ ତଥ୍ୟ ସ୍ଥାନ ପାଇଛି, ଯାହା ଚିକିତ୍ସକ ଓ ସ୍ୱାସ୍ଥ୍ୟ ବୃତ୍ତିଜୀବୀଙ୍କ ପାଇଁ ଏକ ଉପଯୋଗୀ ସନ୍ଦର୍ଭ ପୁସ୍ତିକା ଭାବେ କାର୍ଯ୍ୟ କରିବ।
ଆୟୋଜକମାନେ କହିଛନ୍ତି ଯେ, ନିରନ୍ତର ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ବହୁବିଭାଗୀୟ ସହଯୋଗ ମାଧ୍ୟମରେ ରୋଗୀ ସେବାର ମାନ ବୃଦ୍ଧି କରିବା ଦିଗରେ OARFT ଆଗାମୀ ଦିନରେ ମଧ୍ୟ ଏଭଳି ଚିକିତ୍ସକ ସମ୍ମିଳନୀ ଜାରି ରଖିବ।

Leave A Reply

Your email address will not be published.