ନୃସିଂହନାଥରେ ଉପଖଣ୍ଡସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ।

13

ଶିକ୍ଷା, ସ୍ୱାସ୍ଥ୍ୟ ଓ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ନୃସିଂହନାଥସ୍ଥିତ ବିନ୍ଧ୍ୟବାସିନୀ ମଣ୍ଡପଠାରେ ପଦ୍ମପୁର ଉପଖଣ୍ଡସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଆଦିବାସୀ ସଂଘର ସଭାପତି ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଆଦିବାସୀ ସମାଜର ବିକାଶ, ଅଧିକାର ଓ ପରମ୍ପରାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଇକମାଳ ବ୍ଳକ ଅଧ୍ୟକ୍ଷା ଭାବନା ସିଂ,ସମାଜସେବୀ ମନୋରଞ୍ଜନ ସିଂ ବରିହା, ବିଞ୍ଜାଲ ସମାଜର ଲାଟ ସଭାପତି ହୃଷୀକେଶ ବରିହା, ଗୋଣ୍ଡ ସମାଜର ପାଇକମାଳ ବ୍ଲକ ସଭାପତି ଗଜରାଜ ସିଂ ପୁଟା, ସଉଁରା ସମାଜର କୋଷାଧ୍ୟକ୍ଷ ଯୁଗଳ କିଶୋର ଭୋଇ ଓ ପରମେଶ୍ୱର ତୁମୁନିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ଆଦିବାସୀ ସମାଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ବୃଦ୍ଧି ସହ ଆଦିବାସୀ ସମାଜର ପାରମ୍ପରିକ ଚାଲିଚଳଣୀ, ଭାଷା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ନୂତନ ପିଢ଼ିକୁ ଉଚ୍ଚଶିକ୍ଷା ଓ ଆଧୁନିକ ସୁଯୋଗ ସହ ଯୋଡ଼ିବା ସହିତ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନ କରିବା ଉପରେ ମଧ୍ୟ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଆଦିବାସୀ ସମାଜର ଅଧିକାର, ସମ୍ମାନ ଓ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଗୋଣ୍ଡଁ ସମାଜର ଉପସଭାପତି ରଘୁନନ୍ଦନ ଦେଓ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ନନ୍ଦଲାଲ ବରିହା, ଦେବରାଜ ବରିହା, ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଆଦିବାସୀ ସମାଜର ବିଭିନ୍ନ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ନନ୍ଦଲାଲ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.