ଝାରସୁଗୁଡ଼ାରେ ମେଗା ସ୍ୱାସ୍ଥ୍ୟ ଶିବିର:୫୨ ୟୁନିଟ୍ ରକ୍ତ ସଂଗ୍ରହ, ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା
ଝାରସୁଗୁଡ଼ା: ଏଭଳି ଜନହିତକର କାର୍ଯ୍ୟକ୍ରମ ଅନ୍ୟ ଅନୁଷ୍ଠାନଗୁଡ଼ିକୁ ପ୍ରେରଣା ଦେଇଥାଏ। ଏହା ଦ୍ୱାରା ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ। ରକ୍ତଦାନ ଏକ ମହାନ ଦାନ। ଝାରସୁଗୁଡ଼ାରେ ରକ୍ତଦାନ କରିପାରିବା ମୋ ପାଇଁ ଗୌରବର ବିଷୟ। ତେଣୁ ଅଧିକରୁ ଅଧିକ ଲୋକ ରକ୍ତଦାନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କହିଛନ୍ତି।
ସ୍ଥାନୀୟ ସ୍ୱର୍ଣ୍ଣଭୂମିଠାରେ ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ବିଦ୍ୟା ବିକାଶ, ସମ୍ବଲପୁରର ସହଯୋଗରେ ଆୟୋଜିତ ଏକଦିନିଆ ମେଗା ହେଲ୍ଥ କାର୍ନିଭାଲର ଉଦ୍ଘାଟନ ଅବସରରେ ଜିଲ୍ଲାପାଳ ଶ୍ରୀ ଚୌହାନ ଏହା କହିଥିଲେ। ସେ ଏଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ଓ ବିଦ୍ୟା ବିକାଶ, ସମ୍ବଲପୁରକୁ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ଜିଲ୍ଲାପାଳଙ୍କ ପତ୍ନୀ ଡାକ୍ତର ସୋନମ ରାଠୋର କହିଥିଲେ ଯେ, ବର୍ତ୍ତମାନ ସମୟରେ ଏଭଳି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହା ଦ୍ୱାରା ଲୋକମାନେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଆବଶ୍ୟକୀୟ ସୂଚନା ପାଇପାରୁଛନ୍ତି। ରକ୍ତଦାନ ମାଧ୍ୟମରେ ଆମେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରିବା ବୋଲି ସେ କହିଥିଲେ।

ବିଦ୍ୟା ବିକାଶର ଅଧ୍ୟକ୍ଷ ଭାସ୍କର ରାଓ ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟିକୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଏଭଳି ମହତ୍ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିବାରୁ ସେ ଖୁସି। ଆଗାମୀ ଡିସେମ୍ବର ସୁଦ୍ଧା ଝାରସୁଗୁଡ଼ାର ସରବାହାଲସ୍ଥିତ କେପ୍ ଟାଉନ୍ଠାରେ ବିଦ୍ୟା ବିକାଶ ପକ୍ଷରୁ ଏକ ହସ୍ପିଟାଲ ଆରମ୍ଭ ହେବ। ଅଞ୍ଚଳବାସୀଙ୍କୁ ଉନ୍ନତ ଓ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।
ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟିର ସଭାପତି ନବୀନ ମିଶ୍ର କହିଥିଲେ ଯେ, ଲୋକଙ୍କୁ ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାରର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ମେଗା ହେଲ୍ଥ କାର୍ନିଭାଲ ଆୟୋଜନ କରାଯାଇଛି।
କାର୍ଯ୍ୟକ୍ରମ ଅବସରରେ ୧୩୭ ଥର ରକ୍ତଦାନ କରିଥିବା ସମାଜସେବୀ ରମେଶ ଗାନ୍ଧୀ, ରକ୍ତଦାନ ପାଇଁ ସମର୍ପିତ ପ୍ରତାପ ନନ୍ଦ ଓ ରାଜେଶ ପାଢିଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ସହରର ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।
ଶିବିରରେ କାର୍ଡିଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ଡେଣ୍ଟିଷ୍ଟ, ଫିଜିଓଥେରାପିଷ୍ଟ, ଚକ୍ଷୁ ବିଶେଷଜ୍ଞ ଓ ପାଥୋଲୋଜିଷ୍ଟଙ୍କ ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ଜିଲ୍ଲା ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ଏସ୍. ଜୋଜୋଙ୍କ ନେତୃତ୍ୱରେ ଶିବିରରେ ମୋଟ ୫୨ ଜଣଙ୍କଠାରୁ ରକ୍ତ ସଂଗ୍ରହ କରାଯାଇଥିଲା।
କାର୍ଯ୍ୟକ୍ରମକୁ ରୋଟାରିଆନ ସୁରେଶ ତୁଲସିଆନ ପରିଚାଳନା କରିଥିବା ବେଳେ ଶେଷରେ ରୋଟାରିଆନ ସୁଶୀଲ ମୁନ୍ଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ।