‘ଅଖଣ୍ଡ ଭାରତ’ର ସ୍ୱପ୍ନ ଓ ମହାପୁରୁଷଙ୍କ ତ୍ୟାଗକୁ ପାଥେୟ କରିବାକୁ ବାଳମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁମାନଙ୍କୁ ଆହ୍ୱାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ରବିବାର ‘ଶ୍ରୀଜଗନ୍ନାଥ ନିକେତନ’ ଅନାଥ ଆଶ୍ରମ ପରିସରରେ ‘ମହାପୁରୁଷଙ୍କ ବଳିଦାନ’ ଶୀର୍ଷକ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆଶ୍ରମର ଅନ୍ତେବାସୀ ଶିଶୁମାନଙ୍କୁ ଦେଶର ଐତିହାସିକ ସଂସ୍କୃତି ଓ ସଂସ୍କାର ସମ୍ପର୍କରେ ବାଳମୁକୁନ୍ଦ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସବିଶେଷ ସୂଚନା ପ୍ରଦାନ କରିଥିଲେ।
‘ଅଖଣ୍ଡ ଭାରତ’ର ମହାନ ପରିକଳ୍ପନା ଓ ଦେଶକୁ ସ୍ୱାଧୀନ କରିବା ପାଇଁ ଆମର ମହାନ ସଂଗ୍ରାମୀ ଓ ମହାପୁରୁଷମାନେ ଯେଉଁ ଅତୁଳନୀୟ ତ୍ୟାଗ, ବଳିଦାନ ଓ ସମର୍ପଣ ଭାବ ଦେଖାଇଛନ୍ତି , ତାହାକୁ ଆତ୍ମସ୍ଥ କରି ନିଜ ନିଜ ଜୀବନରେ ଗ୍ରହଣ କରିବାକୁ ଶିଶୁମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଶିଶୁମାନେ କିପରି ଶୃଙ୍ଖଳା , ଦେଶଭକ୍ତି ଏବଂ ସଦ୍ଗୁଣ ଆପଣେଇ ନିଜକୁ ଗଢ଼ିତୋଳିବେ , ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା।
”ମହାପୁରୁଷଙ୍କ ତ୍ୟାଗ ଓ ସମର୍ପଣ ହିଁ ଆମ ଜୀବନର ପ୍ରକୃତ ଦିଗଦର୍ଶକ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢ଼ିତୋଳିବା ହିଁ ପ୍ରକୃତ ଦେଶସେବା।”
ଏହି ଅବସରରେ ଏକ ସୁଖଦ ସୂଚନା ଦିଆଯାଇଥିଲା ଯେ, ପୂଜ୍ୟ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ୱାରା ପରିଚାଳିତ ‘ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ’ର ଭବ୍ୟ ଉଦ୍ଘାଟନ ଗତଦିନରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଗୌରବମୟ ଉପଲବ୍ଧିର ଆନନ୍ଦରେ ଆଶ୍ରମର ସମସ୍ତ କୋମଳମତି ଶିଶୁମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।