ସମ୍ବଲପୁରରେ ‘ତ୍ରିରଙ୍ଗା ପଦଯାତ୍ରା’
- • ଶହୀଦ ସ୍ତମ୍ଭ, ବୀର ସୁରେନ୍ଦ୍ର ସାଏ ଓ ଗଙ୍ଗାଧର ମେହେରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
- • ପଦଯାତ୍ରାରେ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ଯୋଗଦେଲେ ଜନପ୍ରତିନିଧି, ବୁଦ୍ଧିଜୀବୀ, ଯୁବଶକ୍ତି, ଛାତ୍ରଛାତ୍ରୀ ଓ ଜନସାଧାରଣ
- • ଯୁବପିଢ଼ିଙ୍କ ଆବେଗ, ରାଷ୍ଟ୍ରପ୍ରେମର ଉତ୍ସାହ ସମ୍ବଲପୁରକୁ ଗୌରବାନ୍ୱିତ କରିଛି

ସମ୍ବଲପୁର, ଅଗଷ୍ଟ ୦୯, ୨୦୨୬ – ସମ୍ବଲପୁର ଠାରେ ରିଜର୍ଭ ପୋଲିସ ପଡ଼ିଆ ଠାରୁ ଜେଲ୍ ଛକ ପର୍ଯ୍ୟନ୍ତ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ ସମାବେଶରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।

ଏହି ପଦଯାତ୍ରାରେ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସମେତ ଅଞ୍ଚଳର ଅନେକ ଜନପ୍ରତିନିଧି, ବୁଦ୍ଧିଜୀବୀ, କାର୍ଯ୍ୟକର୍ତ୍ତା, ଯୁବଶକ୍ତି ଓ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ । ପଦଯାତ୍ରାରେ ଯୁବପିଢ଼ିଙ୍କ ଆବେଗ, ରାଷ୍ଟ୍ରପ୍ରେମର ଉତ୍ସାହ ଓ ଦେଶଭକ୍ତିର ନାରା ସମ୍ବଲପୁରକୁ ଗୌରବାନ୍ୱିତ କରିବା ସହ ଏକ ଅବର୍ଣ୍ଣନୀୟ ବାତାବରଣ ସୃଷ୍ଟି କରିଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘ତ୍ରିରଙ୍ଗା’ ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ । ଆମର ଜାତୀୟ ପତାକା ଦେଶର କୋଟି କୋଟି ନାଗରିକଙ୍କ ଆଶା, ଆକାଂକ୍ଷା ଏବଂ ପ୍ରଗତିର ପ୍ରତିସ୍ୱରୂପ। ସମ୍ବଲପୁରରେ ଏହି ‘ତ୍ରିରଙ୍ଗା ପଦଯାତ୍ରା’ ଆମକୁ ଦେଶର ସ୍ୱାଧୀନତା ପାଇଁ ଆତ୍ମବଳିଦାନ ଦେଇଥିବା ଭାରତର ମହାନ ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏକ ପବିତ୍ର ଅବସର ଦେଇଛି ।

ଶ୍ରୀ ପ୍ରଧାନ ନାଗରିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆମକୁ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ। ମାତୃଭୂମିର ସେବା କରିବା ସହ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ନିର୍ମାଣ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ।

ପଦଯାତ୍ରା ଅବସରରେ ଶ୍ରୀ ପ୍ରଧାନ ଶହୀଦ ସ୍ତମ୍ଭ ସହ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ‘ସ୍ୱଭାବ କବି’ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଓଡ଼ିଆ ସାହିତ୍ୟକୁ କାଳଜୟୀ କୃତି ତଥା ଓଡ଼ିଆ ଜାତୀୟତାବୋଧକୁ ଆଗକୁ ନେବାରେ ଗଙ୍ଗାଧର ମେହେରଙ୍କ ଯୋଗଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ସେ ପ୍ରକାଶ କରିଥିଲେ ।

ଏହାବ୍ୟତୀତ ଏହି ଅବସରରେ ଦେଶପ୍ରେମମୂଳକ ଚିତ୍ର ଆଙ୍କୁଥିବା ଉତ୍ସାହୀ ଯୁବପିଢ଼ିଙ୍କର କଳା ଓ ସୃଜନଶୀଳତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।